ରାଜ୍ୟରେ ଦ୍ରୁତଗତିରେ ଚାଲିଛି ଏସଆଇଆର ଅଭିଯାନ

ରାଜ୍ୟରେ ଦ୍ରୁତଗତିରେ ଚାଲିଛି ଏସଆଇଆର ଅଭିଯାନ
Samaya Live News Picture
Published On

ଭୁବନେଶ୍ଵର: ରାଜ୍ୟରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ବା ‘ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା’ ଏକ ବଡ଼ ସଫଳତା । ମାତ୍ର ୧୦ ଦିନ ମଧ୍ୟରେ ବୁଥ୍-ସ୍ତରୀୟ ଅଧିକାରୀମାନେ ୨.୭୦କୋଟିରୁ ଅଧିକ ଭୋଟରଙ୍କ ନିକଟରେ ପହଞ୍ଚିଛନ୍ତି, ଆଜି ପର୍ଯ୍ୟନ୍ତ ରାଜ୍ୟର ୭୫% ରୁ ଅଧିକ ଭୋଟରଙ୍କୁ ଫର୍ମ ବଣ୍ଟନ କରିଛନ୍ତି । ସୋମବାର ସୁଦ୍ଧା ରାଜ୍ୟର ସମୁଦାୟ ଭୋଟରଙ୍କ ମଧ୍ୟରୁ ୭୫ ପ୍ରତିଶତରୁ ଅଧିକଙ୍କୁ ଏହି ଫର୍ମ ବଣ୍ଟନ କାର୍ଯ୍ୟ ଶେଷ ହୋଇଛି। ଭୋଟର ସୂଚୀକୁ ସ୍ୱଚ୍ଛ, ସତେଜ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଏହି ରାଜ୍ୟବ୍ୟାପୀ ଅଭିଯାନ ଚାଲିଛି। 

ଏହି ପ୍ରକ୍ରିୟାରେ ବିଏଲ୍ଓ (BLO) ମାନେ ଘରକୁ ଘର ବୁଲି ଫର୍ମ ବଣ୍ଟନ ଓ ସଂଗ୍ରହ କରୁଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜନସାଧାରଣଙ୍କ ସଚେତନତା ଏବଂ ପ୍ରଶାସନିକ ଦଳର ନିଷ୍ଠା ଯୋଗୁଁ ଏହି ସଫଳତା ମିଳିଛି । ସମସ୍ତ ଯୋଗ୍ୟ ଭୋଟର ନିଜର ବିଏଲ୍ଓଙ୍କ ସହ ଯୋଗାଯୋଗ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆବଶ୍ୟକ ତଥ୍ୟ ସହ ଫର୍ମ ଦାଖଲ କରିବାକୁ କୁହାଯାଇଛି । ଏହାବାଦ୍ ଭୋଟରମାନେ ଚାହିଁଲେ ସିଧାସଳଖ ଅନଲାଇନ୍ ମାଧ୍ୟମରେ ମଧ୍ୟ ନିଜର ଫର୍ମ ଦାଖଲ କରିପାରିବେ । ଭୋଟର ତାଲିକାରେ ନାମ ସାମିଲ କିମ୍ବା ସଂଶୋଧନ ସମ୍ପର୍କିତ ଯେକୌଣସି ସହାୟତା ପାଇଁ ନିର୍ବାଚନ ବିଭାଗର ମାଗଣା ହେଲ୍ପଲାଇନ ନମ୍ବର ୧୯୫୦ କୁ କଲ୍ କରି ସବିଶେଷ ସୂଚନା ପାଇପାରିବେ ।

 

Tags: