ଏସଆଇ ପରୀକ୍ଷା ସ୍କାମ , ମୁଖ୍ୟ ଅଭିଯୁକ୍ତ ମୁନ୍ନା ମହାନ୍ତି ଘରେ ଇଡି ଚଢ଼ାଉ
ବାଙ୍କୀ: ବହୁ ଚର୍ଚ୍ଚିତ ଓଡିଶା ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ । ମୁଖ୍ୟ ଅଭିଯୁକ୍ତ ମୁନ୍ନା ମହାନ୍ତି ଘରେ ଇଡି ପକ୍ଷରୁ ଚଢ଼ାଉ ଜାରି ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ଟିମ୍ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ କଟକ ଜିଲ୍ଲା ବାଙ୍କୀ କଳାପଥର ସ୍ଥିତ ପୈତୃକ ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରଖିଛନ୍ତି। ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ଆଧାରରେ ଇଡିର ଅଧିକାରୀମାନେ ଜୋରଦାର ଚଢ଼ାଉ ଜାରି ରଖିଛନ୍ତି । ସ୍କାମ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିବା ସନ୍ଦିଗ୍ଧ ବ୍ୟକ୍ତିବିଶେଷ, ଦଲାଲ ଓ ମଧ୍ୟସ୍ଥିଙ୍କ ବାସଭବନ ତଥା କାର୍ଯ୍ୟାଳୟରେ ଏହି ଯାଞ୍ଚ ଚାଲିଛି ।
ସୂଚନା ଅନୁସାରେ, ଦଲାଲ ମୁନା ମହାନ୍ତିଙ୍କ ସହ ‘ପଞ୍ଚ୍ ସଫ୍ଟ୍ଟ’ କମ୍ପାନୀର ଶଙ୍କର ପୃଷ୍ଟି ଏବଂ ‘ସିଲିକନ୍ ଟେକ୍’ର ସୁରେଶ ନାୟକଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଛାନଭିନ୍ ଚାଲିଛି। ପୂର୍ବରୁ ଏହି ଦୁର୍ନୀତିର ତଦନ୍ତ CBI କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିସାରିଛି।
ଏସଆଇ ନିଯୁକ୍ତି ପାଇଁ ଆଶାୟୀ ପରୀକ୍ଷାର୍ଥୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ହୋଇଥିବା ଅଭିଯୋଗ ହୋଇଥିଲା । ଏହି କଳାଧନର କାରବାର, ବ୍ୟାଙ୍କ ଜମା, ସମ୍ପତ୍ତି କ୍ରୟ-ବିକ୍ରୟ ଏବଂ ଟ୍ରାଞ୍ଜାକସନ ରେକର୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଇଡି PMLA ଅଧୀନରେ ଆର୍ଥିକ ଦିଗକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି। ପୂର୍ବରୁ ରାଜ୍ୟ କ୍ରାଇମବ୍ରାଞ୍ଚ ଏବଂ ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ଯେଉଁସବୁ ଠିକଣାରେ ଚଢ଼ାଉ କରିଥିଲେ, ସେହି ସ୍ଥାନଗୁଡ଼ିକ ଉପରେ ଏବେ ଇଡି ପୁନର୍ବାର ଯାଞ୍ଚ କରୁଛି । ସେଠାରୁ ଆର୍ଥିକ ନେଣଦେଣ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଦଲିଲ ଓ ଡିଜିଟାଲ ତଥ୍ୟ ଜବତ କରିବାକୁ ପ୍ରୟାସ କରାଯାଉଛି ।
ଏହି କେଳେଙ୍କାରୀର ମୁଖ୍ୟ ସୂତ୍ରଧର ତଥା ସହଯୋଗୀମାନଙ୍କ ଆୟ ବହିର୍ଭୂତ ସମ୍ପତ୍ତି, ବ୍ୟାଙ୍କ ଖାତା ଏବଂ ଦଲାଲ ମାଧ୍ୟମରେ ହୋଇଥିବା ପାଣ୍ଠି ସ୍ଥାନାନ୍ତରଣ ସମ୍ପର୍କରେ ଇଡି ଅଧିକାରୀମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚୁରା କରୁଛନ୍ତି ।




