ଶୂନ୍ୟ ପହଣ୍ଡିରେ ଆସିଲେ ଶ୍ରୀ ସୁଦର୍ଶନ... ୪ ଟାରେ ରଥଟଣା
ପୁରୀ : ଆଜି ପବିତ୍ର ବାହୁଡ଼ାଯାତ୍ରା । ଆଷାଢ଼ ଦଶମୀ ତିଥିରେ ଶ୍ରୀମନ୍ଦିର ବାହୁଡ଼ିବେ ମହାପ୍ରଭୁ । ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ନଅ ଦିନର ଦିବ୍ୟ ଲୀଳା ସମାପ୍ତ କରି ଆଜି ନୀଳାଚଳ ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନ । ଧାଡ଼ି ପଣ୍ଡିରେ ଆସି ଶରଧା ବାଲିରେ ଥିବା ରଥ ଉପରେ ବିରାଜମାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ଆଗମନ ପାଇଁ ଶରଧାବାଲିରେ ଅପେକ୍ଷା କରିଛନ୍ତି ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ । ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ଗୁଣ୍ଡିଚା ମନ୍ଦିରରୁ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଛି । ଶୂନ୍ୟ ପହଣ୍ଡିରେ ରଥକୁ ପ୍ରଥମେ ପହଣ୍ଡି ହୋଇ ଆସିଲେ ସୁଦର୍ଶନ ।
ଏହାପରେ ରଥରେ ଜଣକ ପରେ ଜଣେ ବିଜେ କରିବେ । ବାହୁଡ଼ାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନିର୍ଘଣ୍ଟ ଅନୁଯାୟୀ, ଦିବା ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ । ଏହା ପରେ ଗଜପତି ମହାରାଜାଙ୍କ ଦ୍ୱାରା ଅପରାହ୍ଣ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ସମ୍ପନ୍ନ କରାଯିବ। ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରାୟ ୨୨୦ ପ୍ଲାଟୁନ୍ ପୁଲିସ ଫୋର୍ସ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏବଂ ବରିଷ୍ଠ ପୁଲିସ ଅଧିକାରୀମାନେ ମୁତୟନ ରହିଛନ୍ତି । ଟ୍ରାଫିକ୍ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବହୁସ୍ତରୀୟ ବ୍ୟବସ୍ଥା କରାଯାଇଛି ।




