୧୦ ସରକାରୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ
ଭୁବନେଶ୍ୱର : ଅର୍ଥ ବିଭାଗର ୧୦ ଜଣ ଅଧିକାରୀଙ୍କୁ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ । ଜାନୁଆରୀ ୨୮ରେ ଅର୍ଥବିଭାଗ ଅନୁସଚିବ ସୁନୟନା ସିଂହ ସମ୍ପୃକ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଯଦି ଏହି ଚିଠି ପାଇବା ପରେ କାର୍ଯ୍ୟରେ ଯୋଗ ନ ଦିଅନ୍ତି ତେବେ ସରକାରଙ୍କ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଉ ସୁଯୋଗ ପ୍ରଦାନ କରାଯିବ ନାହିଁ ବୋଲି ସିଂହ ପତ୍ରରେ ଦର୍ଶାଇଛନ୍ତି ।
ସରକାରୀ ଚାକିରିରେ ବଦଳି ଏକ ନିୟମିତ ପ୍ରକ୍ରିୟା। ଯଦି କୌଣସି କର୍ମଚାରୀ ବା ଅଧିକାରୀ ଏହାକୁ ନ ମାନନ୍ତି ତେବେ ତାଙ୍କ ବିରୋଧରେ ଚାକିରି ସର୍ତ୍ତାବଳୀ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ୧୦ଜଣ ଓଡ଼ିଶା ଅର୍ଥ ସେବା ଅଧିକାରୀଙ୍କୁ ବିଭାଗ ପକ୍ଷରୁ ବାରମ୍ବାର ବଦଳି ନିର୍ଦ୍ଦେଶନାମା ଜାରି ହେଉଥିଲେ ହେଁ ସେମାନେ ଘୁଞ୍ଚୁ ନାହାନ୍ତି। ଏହାକୁ ନେଇ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ଏହି ଚିଠିରେ ବରିଷ୍ଠ ଓଏଫ୍ଏସ୍ ସତ୍ୟସାଇ ଦାସ, ବିଜୟଲକ୍ଷ୍ମୀ ବିଶ୍ୱାଳ, ସନତ କୁମାର ଜେନା, ଗୀତା ଦାସ, ନିରୁପମା ସାହୁ, ପଦ୍ମଜ୍ୟୋତି ସାହୁ, ବିଚିତ୍ର ଗମାଙ୍ଗୋ, ବିରଞ୍ଚି ମହାନନ୍ଦିଆ, ପଦ୍ମାବତୀ ନାୟକ ଓ ବିଭୂତେନ୍ଦୁ ପ୍ରତାପ ଲେଙ୍କାଙ୍କ ନାମ ରହିଛି । ଯଦି ଚିଠି ପାଇବାର ୭ଦିନ ମଧ୍ୟରେ ବଦଳି ସ୍ଥାନରେ ଯୋଗ ନ ଦିଅନ୍ତି କିମ୍ବା ବିଭାଗକୁ ଅବଗତ ନ କରାନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଂହ ଦର୍ଶାଇଛନ୍ତି ।



