୩ ସ୍କୁଲର ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ
ବେଗୁନିଆ : ବାତ୍ୟା ‘ଅକଭାନ୍’କୁ ନେଇ ବେଗୁନିଆ ବ୍ଲକ ଶିକ୍ଷା ବିଭାଗରେ ଗୁରୁବାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସ୍ୱତନ୍ତ୍ର ଆଦେଶକୁ ଅବମାନନା ତଥା ଦାୟିତ୍ୱରେ ଅବହେଳା ଅଭିଯୋଗରେ ବ୍ଲକର ୩ଟି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସିମୋର ସ୍ଥିତ ସରକାରୀ କୁଞ୍ଜବିହାରୀ ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଗଁପୁର-କଣ୍ଟାମଳିମ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏବଂ କାନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି ହୋଇଛି । ଏ ନେଇ ଆସନ୍ତା ୩ ଦିନ ମଧ୍ୟରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଉତ୍ତର ରଖିବେ ବୋଲି ଉଲ୍ଲେଖ ରହିଛି ।
ସୂଚନା ଥାଉକି ଓଡିଶା ମୁହାଁ ବାତ୍ୟା ‘ଅକଭାନ'କୁ ମୁକାବିଲା କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲା ଓ ବ୍ଲକ ପ୍ରଶାସନ ସଭିଏଁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଆଦେଶନାମା ଅନୁସାରେ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ୧୯ ଓ ୨୦ ଛୁଟି ଘୋଷଣା କରାଯାଇଛି ।
ସେପଟେ, ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା। ଲ୍ୟାଣ୍ଡଫଲ୍ ସମୟରେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିଥିବା ବେଳେ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା। ତେବେ ବାତ୍ୟାର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଆହୁରି ପ୍ରାୟ ୨ ଘଣ୍ଟା ଧରି ଜାରି ରହିବାର ସମ୍ଭାବନା ରହିଛି।




