ବୈତରଣୀ ବନ୍ୟା ପାଇଁ ପାୱାର ପ୍ରୋଜେକ୍ଟସ୍‌ କୁ କାରଣ ଦର୍ଶାଅ ନୋଟିସ୍

ବୈତରଣୀ ବନ୍ୟା ପାଇଁ ପାୱାର ପ୍ରୋଜେକ୍ଟସ୍‌ କୁ କାରଣ ଦର୍ଶାଅ ନୋଟିସ୍
Samaya Live News Picture
Published On

ଭୁବନେଶ୍ଵର : ବୈତରଣୀ ବନ୍ୟା ପାଇଁ ପାୱାର ପ୍ରୋଜେକ୍ଟସ୍‌ (BPPL)କୁ କାରଣ ଦର୍ଶାଅ ନୋଟିସ୍ । ଜଳସମ୍ପଦ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଜଳସମ୍ପଦ ବିଭାଗ ପକ୍ଷରୁ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟରଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ସମୟରେ ବେନିୟମ ଭାବେ ଗେଟ୍ ଖୋଲିବାରୁ ନୋଟିସ୍ ଜାରି ହୋଇଛି । 

ଏସଆରସି ପ୍ରଭାକର ପାଟିଲ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, BPPLବିନା ସହମତିରେ ପାଣି ଛାଡିବା ଯୋଗୁଁ ବୈତରଣୀରେ ବନ୍ୟା ଗମ୍ଭୀର ରୂପ ଧାରଣ କଲା । ନିଜ ପାୱାର ଜେନେରେସନ କରିବା ପାଇଁ ମନ ଇଚ୍ଛା ଗେଟ୍ ଖୋଲିଥିଲା । ସେଥିପାଇଁ ସରକାରଙ୍କ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ତାପୂର୍ବରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଆନନ୍ଦପୁର ଡିଭିଜନ ଲୋକାଲ ଇଞ୍ଜିନିୟରମାନେ ଏବାବଦରେ ଅବଗତ ହେବା କଥା । କିନ୍ତୁ BPPL ପକ୍ଷରୁ ସମନ୍ଵ ଅଭାବ ପାଇଁ ଏପରି ହୋଇଛି । ତେଣୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ନୋଟିସ ଜାରି କରାଯାଇଛି ।

ସେପଟେ ଏସଆରସି କହିଛନ୍ତି ରାଜ୍ୟରେ ବନ୍ୟା ସ୍ଥିତି ସୁଧୁରୁଛି । ସୁବର୍ଣ୍ଣରେଖାକୁ ଛାଡ଼ି ବାକି ସବୁ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ ବିପଦ ସଙ୍କେତ ତଳେ ଅଛି । ଜଳକା ବି ବିପଦ ସଙ୍କେତ ତଳକୁ ଖସିଛି । ରେମୁଣା ଓ ଜଳେଶ୍ଵରରେ ବନ୍ୟା ସ୍ଥିତିରେ ସୁଧାର ଆସିଛି । ଯାଜପୁର ଓ ଭଦ୍ରକ ଜିଲ୍ଲାରେ ୨୪ ଘଣ୍ଟାରେ ଆହୁରି ସୁଧାର ଆସିବ । ସୁବର୍ଣ୍ଣରେଖାରେ ଝାଡ଼ଖଣ୍ଡ ପାଣି ଛାଡ଼ିବାରୁ ରାତି ୩ଟାରେ ବିପଦ ସଙ୍କେତ ଉପରକୁ ଜଳସ୍ତର ଯାଇଥିଲା । ସକାଳ ୬ଟା ପରେ ପାଣି ଖସିଥିଲା । CWC ଆକଳନ ଅନୁସାରେ ସନ୍ଧ୍ୟା ୬ଟା ବେଳକୁ ଜଳସ୍ତର ଆହୁରି ଖସିବ ବୋଲି ଏସଆରସି କହିଛନ୍ତି। 

ସେପଟେ,  ବାଲିଆପାଳ ଓ ଭୋଗରାଇରେ ବନ୍ୟା ହୋଇଛି । ୬ ଜିଲ୍ଲାର ୩୪ ବ୍ଳକର ୨୨୬ ପଞ୍ଚାୟତର ୭୪୩ ଗାଁ ପ୍ରଭାବିତ ହୋଇଛନ୍ତି । ୧୨ ଲକ୍ଷ ୮୭ ହଜାର ଲୋକ କ୍ଷତି ସହିଛନ୍ତି । ୮୪ ହଜାର ୬୬୭ ଲୋକ ସ୍ଥାନାନ୍ତର ହୋଇଛନ୍ତି । ବାଲେଶ୍ୱର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ୫୫ ପଞ୍ଚାୟତର ୨୮  ହଜାର ଲୋକ ଏବେ ବି ପାଣି ଘେରରେ ଅଛନ୍ତି । ରିଲିଫ୍ ଯୋଗାଇ ଦିଆଯାଇଛି । ଗତ ୧୪ ତାରିଖରୁ ୮ ଜିଲ୍ଲାକୁ ୯୪୦ ମେଟ୍ରିକ୍ ଟନ ଗୋଖାଦ୍ୟ ଦିଆଯାଇଛି । ଜିଲ୍ଲାପାଳଙ୍କ ଯୋଗାଯୋଗରେ ଅଛନ୍ତି ଏସଆରସି । ସେହିପରି ବନ୍ୟା ଯୋଗୁଁ ବୈତରଣୀ ଓ ଶାଳନ୍ଦୀ ରେ  ସୃଷ୍ଟି ହୋଇଥିବା ଘାଇ ମରାମତି କାମ ଆରମ୍ଭ ହେଲାଣି । ଆଜି ଠାରୁ ପରିସ୍ଥିତି ସୁଧୁରିବ। ଜଳ ନିଷ୍କାସନ ହେବାକୁ କେବଳ ବାଲେଶ୍ୱର ପାଇଁ ଆଉ ୩ ଦିନ ଲାଗିବ । ଆଣ୍ଟି ସ୍ନେକ ଭେନମ ସବୁ ସ୍ଥାନରେ ମହାଜୁଦ ଅଛି । ଗତ ୧୪ ତାରିଖରୁ ୨୬ଟି ସାପ କାମୁଡା ମାମଲା ଆସିଛି । ହେଲେ କାହାର ମୃତ୍ୟୁ ହୋଇନି । ପ୍ରଶାସନ ସଜାଗ ଅଛନ୍ତି। ବନ୍ୟା କମିବା ପରେ ଜଳବାହକ ରୋଗର ସମ୍ଭାବନା ରହିଛି । ୧୨୪ ମେଡିକାଲ ଟିମ୍ ମହାଜୁଦ ଅଛନ୍ତି । ୩୦ଟି ଡାଇରିଆ ମାମଲା ଆସିଥିଲା । ସେମାନଙ୍କୁ ଚିକିତ୍ସା କରାଯାଇଛି । ଏବେ ଯାଏ ଆଉ ଗୋଟେ ଲଘୁଚାପର ସ୍ପଷ୍ଟ ସୂଚନା ନାହିଁ । କେନ୍ଦ୍ରାପଡ଼ାର ୬୮ ପଞ୍ଚାୟତ ପ୍ରଭାବିତ ହୋଇଛି । ଘାଇ ହୋଇଛି, ଓଡ୍ରାଫ ଅଛି । ବନ୍ୟା ପାଣି ଖସୁଛି । ଲୋକ ଆହୁରି ରିଲିଫ ପାଇବେ ।

Tags: