ପୂର୍ବତନ ଡିଜିପି ୱାଇ.ବି ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ୍
କଟକ : ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ(DGP)ଯୋଗେଶ ବାହାଦୂର ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ । କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନହେବା ଏବଂ ଅଦାଲତ ଅବମାନନା ଅଭିଯୋଗରେ ତାଙ୍କ ବିରୋଧରେ ନୋଟିସ ଜାତି କରିଛନ୍ତି ମାନ୍ୟବର ଓଡିଶା ହାଇକୋର୍ଟ । ତେବେ ସେ ଅବସର ନେଇଥିଲେ ମଧ୍ୟ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ ବୋଲି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ ।
ଅଦାଲତ ଅବମାନନା ମାମଲାରେ ବିଭ୍ରାନ୍ତିମୂଳକ ସତ୍ୟପାଠ ଦାଖଲ ହେବା ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି । ଗତ ୨୦୨୫, ସେପ୍ଟେମ୍ବର ୨୫ର ଆଦେଶର ଜାଣିଶୁଣି ଉଲ୍ଲଂଘନ ପାଇଁ କାହିଁକି ତାଙ୍କ ବିରୋଧରେ ଅଦାଲତ ଅବମାନନା ଆଇନର ଧାରା ୧୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ କାରଣ ଦର୍ଶାଇବାକୁ ୱାଇ.ବି ଖୁରାନିଆଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ସେ ଅବସର ନେଇ ସାରିଥିବାରୁ ପୋଲିସ ଆଇଜି (ପର୍ସୋନେଲ) ତାଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରିବେ । କାରଣ ଦର୍ଶାଅ ନୋଟିସ ପାଇବାର ୭ ଦିନ ଭିତରେ ୱା.ବି ଖୁରାନିଆ ଜବାବ ରଖିବେ ବୋଲି ହାଇକୋର୍ଟ କହିଛନ୍ତି । ଯଦି ଏଥିରେ ଅବହେଳା ହୁଏ ତେବେ ଭାରପ୍ରାପ୍ତ ଡିଜିପି ଓ ଆଇଜି (ପର୍ସୋନେଲ) ସେପ୍ଟେମ୍ବର ୨୮ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ହାଇକୋର୍ଟ କହିଛନ୍ତି । ତେବେ ମାମଲାର ଶୁଣାଣି ବେଳେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ୱା.ବି ଖୁରାନିଆ ଗତ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିସାରିଥିବାରୁ ମାମଲାକୁ ବନ୍ଦ କରାଯାଉ ।
ସୂଚନାନୁସାରେ, ଗତ ୨୦୧୭ରେ ସାଗରିକା ପରିଡ଼ା ପୋଲିସ ଏସଆଇ ଭାବେ ନିଯୁକ୍ତି ପାଇଥିଲେ । ତାଙ୍କ ବିରୋଧରେ କୌଣସି ଫୌଜଦାରୀ ମାମଲା ନଥିବା ତଥ୍ୟ ସେ ଦାଖଲ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ବିରୋଧରେ ଏରସମା ଥାନାରେ ତିନୋଟି ଫୌଜଦାରୀ ମାମଲା ଅତୀତରେ ପଞ୍ଜୀକୃତ ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ୨୦୨୦, ନଭେମ୍ବର ୧୨ରେ କାର୍ଯ୍ୟରୁ ଅନ୍ତର କରାଯାଇଥିଲା । ଏପରି ନିର୍ଦ୍ଦେଶ ବିରୋଧରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲାର ଶୁଣାଣି ବେଳେ ତାଙ୍କ ତରଫରୁ ଦର୍ଶାଯାଇଥିଲା ଯେ ତଥା କଥିତ ସମସ୍ତ ଫୌଜଦାରୀ ମାମଲାରେ ସେ ଅଦାଲତରେ ଦୋଷମୁକ୍ତ ହୋଇଥିଲେ ।




