ଆସନ୍ତା ୧୫ ତାରିଖ ସୁଦ୍ଧା ଶିଶୁବାଟିକା ପିଲାଙ୍କୁ ମିଳିବ ପୋଷାକ
ଭୁବନେଶ୍ୱର : ରାଜ୍ୟର ପ୍ରାକ୍-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଣିକି ସରକାରୀ ବିଦ୍ୟାଳୟରେ ପଢୁଥିବା ‘ଶିଶୁ ବାଟିକା’ର ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାଗଣା ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯିବ । ୧୫ ଫେବୃଆରୀ ସୁଦ୍ଧା ବଣ୍ଟନ ଶେଷ କରିବାକୁ ଓସେପାର ନିର୍ଦ୍ଦେଶ । ପ୍ରତି ବିଦ୍ୟାର୍ଥୀଙ୍କ ପୋଷାକ ପାଇଁ ଏକ ହଜାର ଟଙ୍କା ପ୍ରଦାନ କରାଯାଇଛି।
ଓସେପା ଅତିରିକ୍ତ ନିର୍ଦ୍ଦେଶିକା (ସାଧାରଣ) ସଙ୍ଗୀତା ବେହେରାଙ୍କ ପକ୍ଷରୁ ଜାରି ପତ୍ର ଅନୁଯାୟୀ, ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରତି ଶିଶୁ ପିଛା ୧ ହଜାର ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର କରାଯାଇଛି । ଏହି ଅର୍ଥରେ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ ସହିତ ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ୍, ଟୋପି ଏବଂ ପରିଚୟ ପତ୍ର ପ୍ରଦାନ କରାଯିବ ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଯେଉଁ ଆର୍ଥିକ ବ୍ୟବସ୍ଥାରେ ପୋଷାକ କ୍ରୟ ହେଉଥିଲା ଅନୁରୂପ ଭାବେ ଶିଶୁ ବାଟିକାରେ ମଧ୍ୟ ସମାନ ନିୟମ କାର୍ଯ୍ୟକାରୀ ହେବ। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲାସ୍ତରୀୟ କମିଟି ଏହି କାର୍ଯ୍ୟର ତଦାରଖ କରିବ। କୌଣସି ନୂଆ ଟେଣ୍ତର ହେବ ନାହିଁ। ପ୍ରଥମ ଶ୍ରେଣୀ ପିଲାଙ୍କ ପୋଷାକର ରଙ୍ଗ,ମାନ ,ଲୋଗୋ ଯାହା ଥିଲା ଶିଶୁ ବାଟିକାରେ ଛାତ୍ରଛାତ୍ରୀଙ୍କ ମଧ୍ୟ ସମାନ ରହିବ।



