ରାହାମା ବଜାରରେ ସେକ୍ସ ରାକେଟ ଠାବ ,୫ ଅଟକ
ଜଗତସିଂପୁର : ଭଡା ଘରେ ସେକ୍ସ ରାକେଟ ଠାବ । ଜଗତସିଂପୁର ରାହାମା ବଜାରରେ ଏକ ଭଡା ଘରେ ଦୀର୍ଘ ଦିନ ଧରି ଚାଲିଥିଲା ସେକ୍ସ ରାକେଟ । ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରି ରାଣୀ ମହୁମାଛି ସହ ୪ ମହିଳା ଏବଂ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ । ତିର୍ତ୍ତୋଲ ଥାନା ଅଧୀନରେ ଏକ ଭଡା ଘରେ ୯ ବର୍ଷ ଧରି ଏହି କାରବାର ଚାଲୁଥିଲା ବୋଲି କହିଛନ୍ତି ଧରାପଡିଥିବା ମହିଳା । ଏଥିରେ ଘର ମାଲିକ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡିଛି ।
ସୂଚନା ଅନୁସାରେ, ରାହାମା ନିକଟସ୍ଥ ଏକ ଘରେ ଦୀର୍ଘଦିନ ଧରି ସନ୍ଦେହଜନକ କାରବାର ଚାଲିଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏହାପରେ ତିର୍ତ୍ତୋଲ ଥାନା IIC ବଂଶୀଧର ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଟିମ୍ ସେଠାରେ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ଘର ଭିତରୁ ୪ ଜଣ ମହିଳା ଏବଂ ଜଣେ ଯୁବକଙ୍କୁ ପୁଲିସ ଅଟକ କରିଥିଲା। ଏହାସହ ଘରୁ ୨୧୦୦ ଟଙ୍କା ନଗଦ, ୯ଟି ମୋବାଇଲ୍ ଫୋନ୍ ସହ ବହୁ ଆପତ୍ତି ଜଣକ ଜିନିଷ ଜବତ କରାଯାଇଛି ।
ତେବେ ପୁଲିସ ଚଢ଼ାଉ କରିବା ପୂର୍ବରୁ ଏହି କାରବାରରେ ସମ୍ପୃକ୍ତ କିଛି ବ୍ୟକ୍ତି ଘଟଣାସ୍ଥଳରୁ ଖସି ପଳାଇଥିବା ସୂଚନା ମିଳିଛି। ଅଟକ ଥିବା ୫ ଜଣଙ୍କୁ ପୁଲିସ ହେପାଜତରେ ନେଇ ପଚରାଉଚରା କରୁଛି । ରାଜ୍ୟରୁ ଏବଂ ରାଜ୍ୟ ବାହାରୁ ଲୋକମାନଙ୍କୁ ଆଣି ଏଠାରେ କାରବାର କରାଯାଉଥିଲା । ଏଥିରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ଏନେଇ ତଦନ୍ତ ଜୋରଦାର କରିଛି ପୋଲିସ ।




