ରାଜଧାନୀରେ ମନ୍ଦିରରୁ ସିରିଜ ଲୁଟ୍
ଭୁବନେଶ୍ୱର : ରାଜଧାନୀ ଛାତି ଉପରେ ବଡ଼ ଧରଣର ଲୁଟ । ପଟିଆ ଗାଁରେ ଥିବା ମନ୍ଦିରରୁ ସିରିଜ ଲୁଟ୍ କରିଛନ୍ତି ଦୁର୍ବୁତ୍ତ । କୋଟି କୋଟି ଟଙ୍କାର ରୁପା ମୁକୁଟ ସହ ସୁନା ମୂର୍ତ୍ତି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଞ୍ଚଳର ଏକାଧିକ ମନ୍ଦିର ଏବଂ ପଟିଆର ନୀଳକଣ୍ଠ ମନ୍ଦିର, ପଟିଆ କନକଦୁର୍ଗା ମନ୍ଦିର,ଶ୍ରୀ ବିହାର ଶିଖରଚଣ୍ଡୀ ମନ୍ଦିରରୁ ଚୋରି ହୋଇ ଥିବା ସୂଚନା ମିଳିଛି । ଲୁଟେରାଙ୍କ ଭିତରେ ଜଣେ ମହିଳାଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସେହିପରି ଗତ ଦୁଇ ଦିନ ତଳେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ମନ୍ଦିରରୁ ଚୋରି ଉଦ୍ୟମ କରିଥିଲେ ଲୁଟେରା । ଘୋଡ଼ା ମେଲଣ ଉତ୍ସବ ସରିବା ପରେ ବିଳମ୍ବିତ ରାତିରେ ଚୋରି ହୋଇଥିଲା । ଗତ ୫ ତାରିଖ ବିଳମ୍ବିତ ରାତ୍ରିରେ ଅଭିଯୁକ୍ତ ଦ୍ୱୟ ପାଚେରି ଡେଇଁ ମନ୍ଦିର ଭିତରେ ପଶିବା ସହିତ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିଥିଲେ । ସେମାନେ ତାଲା ଭାଙ୍ଗି ମନ୍ଦିରର କୋଠ ଓ ଭଣ୍ଡାର ଘରେ ପଶିଥିଲେ । ମାତ୍ର ମାଆଙ୍କର କୌଣସି ସୁନାରୁପା ଗହଣା ନେଇ ନପାରି କେବଳ ହୁଣ୍ଡିରୁ ପାଇଥିବା ଟଙ୍କା ନେଇ ଫେରାର ହୋଇଯାଇଥିଲେ । କିନ୍ତୁ ଏହି ଘଟଣାରେ ଧରାପଡିଥିବା ଜଣେ ଚୋର ପୋଲିସକୁ ଦେଇଛି ଚାଞ୍ଚଲ୍ୟକର ବୟାନ । ସେ କହିଛି ବାହାର ହୁଣ୍ଡୀରୁ କିଛି ଖୁଚୁରା ଟଙ୍କା ଚୋରି ପରେ ଆଲମୀରାରୁ ମା'ଙ୍କ ସୁନା ମୁକୁଟ ଉଠାଇବାକୁ ଯାଇଥିଲେ ମାତ୍ର ଠିକ ଏତିକିବେଳେ ଏକ କଳା ଛାଇ ଲମ୍ବି ଆସିବା ସହିତ କାହାର ପାଉଁଜି ର ଛମ ଛମ ଶବ୍ଦ ଶୁଣାଯାଇଥିଲା । ଏହି ସମୟରେ ଚୋରି କରିବାକୁ ଯାଇଥିବା ୨ ଜଣ ଚୋରଙ୍କ ମଧ୍ୟରୁ ଜଣେ ବେହୋସ ହୋଇ ତଳେ ପଡ଼ିଯାଇଥିବା ବେଳେ ଅନ୍ୟ ଜଣେ କୌଣସି ପ୍ରକାର ପଛେଇ ଡେଇଁ ପଳାଇ ଆସିବାକୁ ସକ୍ଷମ ହୋଇଥିଲା ।



