ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ୭ଟି ବାଇକ ଉପରେ ଚଢ଼ିଗଲା କାର
ଢ଼ାବା କର୍ମଚାରୀଙ୍କ ସହ ଗଣ୍ଡଗୋଳ ପରେ ଏହି ଘଟଣା ଘଟିଥିଲା
ଭୁବନେଶ୍ୱର : ରାଜଧାନୀ ଭୟଙ୍କର ସିରିଜ ଦୁର୍ଘଟଣା । ଭୁବନେଶ୍ୱରର କଟକ-ପୁରୀ ବାଇପାସ୍ ରୋଡ୍ (କେଶୁରା ଛକ ନିକଟରେ) ଏକ ଦ୍ରୁତଗାମୀ କାର୍ ନିୟନ୍ତ୍ରଣ ହରାଇ ୭ଟି ବାଇକ୍ ଉପରେ ଚଢ଼ିଯାଇଛି । ଦୁର୍ଘଟଣାରେ ଗାଡି ଗୁଡିକ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତି କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କାର ଚାଳକଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ବଡ଼ଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।
ଏହି ଘଟଣାରେ ଏବେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏହା ଦୁର୍ଘଟଣା ନୁହେଁ,କାର ଚଢାଇ ହତ୍ୟା ଉଦ୍ୟମ କରାଯାଇଥିଲା । ସିସିଟିଭି ଫୁଟେଜ ରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଢ଼ାବା କର୍ମଚାରୀଙ୍କ ସହ ଗଣ୍ଡଗୋଳ ପରେ ଏହି ଘଟଣା ଘଟିଥିଲା । ନିଶାସକ୍ତ ଚାଳକ ସୌମ୍ୟ ରଥର ଶାସ୍ତ୍ରୀ ନଗର ଲିଙ୍କ। ପୂର୍ବରୁ ଶାସ୍ତ୍ରୀ ନଗରରେ ଘଟାଇଥିଲା ସିରିଜ ଦୁର୍ଘଟଣା । ଜୁଲାଇରେ ଶାସ୍ତ୍ରୀ ନଗରରେ ସୌମ୍ୟ ରଥ କାର ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଥିଲା । ଘଟଣାର ତନାଘନା କରିବା ପାଇଁ ବଡ଼ଗଡ଼ ଥାନାରେ ପହଞ୍ଚିଛନ୍ତି ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ । ଦୁର୍ଘଟଣା ଘଟାଇଥିବା ସୌମ୍ୟ ରଥର କାର ର ଲାଇସେନ୍ସ ରଦ୍ଦ ହେବ ବୋଲି ସୂଚନା ମିଳିଛି ।




