ବରିଷ୍ଠ ଆଇପିଏସ ଦୟାଲ ଗଙ୍ଗୱାର ନିଲମ୍ବିତ
ଭୁବନେଶ୍ୱର : ବାଲିଅନ୍ତା ବର୍ବରୋଚିତ ସୌମ୍ୟରଂଜନ ହତ୍ୟା ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ । ବରିଷ୍ଠ ଆଇପିଏସ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି । ସୌମ୍ୟରଂଜନ ହତ୍ୟା ପରେ ଦୟାଲ ଗଙ୍ଗୱାରଙ୍କୁ ଗୃହ ବିଭାଗର ଓଏସଡି ଭାବରେ ବଦଳି କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ଜିଆରପି (GRP) କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ମାମଲାକୁ ନେଇ ଦୟାଲ ଗଙ୍ଗୱାର ବିବାଦରେ ଛନ୍ଦି ହୋଇଥିଲେ । ସୌମ୍ୟରଞ୍ଜନଙ୍କ ବାପା-ମା’ ଶ୍ରୀ ଗଙ୍ଗୱାରଙ୍କ ବିରୋଧରେ ମାନସିକ ନିର୍ଯାତନା ଦେବା ନେଇ ଗୁରୁତର ଅଭିଯୋଗ ଆଣିଥିଲେ । ସୌମ୍ୟରଞ୍ଜନଙ୍କୁ ସରକାରୀ କାର୍ଯ୍ୟ ବ୍ୟତୀତ ନିଜର ବ୍ୟକ୍ତିଗତ କାମରେ ଲଗାଇବା ନେଇ ଅଭିଯୋଗ ହୋଇଥିଲା । ଏହି ବିବାଦ ତେଜିବା ପରେ ତାଙ୍କୁ ଏଡିଜି (ADG) କମ୍ୟୁନିକେସନ ପଦବୀରୁ ବଦଳି କରାଯାଇ ଗୃହ ବିଭାଗର ଓଏସଡି କରାଯାଇଥିଲା ।
ଅନ୍ୟପଟେ, ସୌମ୍ୟ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ସାଙ୍ଘାତିକ ଖୁଲାସା ହୋଇଛି । ଦୟାଲ ଗଙ୍ଗୱାର ଏଡିଜିପି ଥିବା ସମୟରେ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଘରେ ୮ ଜଣ ଜିଆରପି କର୍ମଚାରୀଙ୍କୁ ରଖି କାମ କରାଉଥିବା ନେଇ ଡିଜିପି ଏକ ଗୋପନୀୟ ରିପୋର୍ଟ ପ୍ରଦାନ କରିଥିଲେ । ଏହି ଗୁରୁତର ଅସଦାଚରଣ ଓ ସର୍ବଭାରତୀୟ ସେବା ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଲମ୍ବନ ଅବଧି ମଧ୍ୟରେ ତାଙ୍କର ମୁଖ୍ୟାଳୟ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ସ୍ଥିର କରାଯାଇଛି । ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ରାଜ୍ୟପାଳଙ୍କ ଆଦେଶକ୍ରମେ ପ୍ରକାଶିତ ଚିଠିରେ ସ୍ପଷ୍ଟ କରାଯାଇଛି ।




