'ନିଶା' ଙ୍କୁ ଦେଖିବା ନିଶା,ବନ୍ଧା ହେଲେ ୧୭ ଆୟୋଜକ ବଦଳି ହେଲେ ଉପଜିଲ୍ଲାପାଳ
ଭୁବନେଶ୍ୱର : ମହଙ୍ଗା ପଡିଲା ନିଶା ମହାରଣାଙ୍କ ନାଚ ଦେଖିବା । ଯାତ୍ରା ପେଣ୍ଡାଲରେ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶକୁ ନେଇ ବନ୍ଧା ହୋଇଛନ୍ତି ୧୭ ଜଣ ଆୟୋଜକ । ଏହା ସହ ଉପ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ତେବେ ଏହି ଘଟଣା ଓଡ଼ିଶାରେ ନୁହେଁ ପଡୋଶୀ ଛତିଶଗଡ଼ରେ ଘଟିଛି । ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଉରମାଲଠାରେ ଚାଲିଥିବା ଓଡ଼ିଆ ଅପେରାରେ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟକୁ ନେଇ ଜୋରଦାର ହଙ୍ଗାମା ହେବା ପରେ ଗରିଆମାଳ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦେଶ ଦେବା ସହ ମୈନପୁର ଉପଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି । ଏହି ଅଶ୍ଳୀଳ ନୃତ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଗରିଆମାଳ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା । ଏହି ଘଟଣାରେ ୩ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।
ସୂଚନାନୁସାରେ,ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାର ଦେଭୋଗ ଥାନା ଅର୍ନ୍ତଗତ ଉରମାଲଠାରେ ଓଡ଼ିଶାର ବନଦୁର୍ଗା ଗଣନାଟ୍ୟକୁ ଗତ ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିଥିଲା । ତେବେ ଗତ ୯ ତାରିଖ ରାତିରେ ଅପେରାରେ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ । ଏହି ସମୟରେ ମୈନପୁର ଉପଜିଲ୍ଲାପାଳଙ୍କ ସହ ୩ ଜଣ ପୋଲିସ କର୍ମଚାରୀ ନାଚ ଦେଖୁଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ୧୦ ତାରିଖରେ ଅପେରା ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।
ତହସିଲଦାର ଓ ପୁଲିସର ବିନା ଅନୁମତିରେ ମୈନପୁର ଉପଜିଲ୍ଲାପାଳ ଡ. ତୁଳସୀ ଦାସ ମାର୍କାମା ଅପେରା ପାଇଁ ଅନୁମତି ଦେବା ଓ ନିଜେ ଉପସ୍ଥିତ ରହି ମଜା ଉଠାଉଥିବା ଅଭିଯୋଗରେ ତାଙ୍କୁ ବଦଳି କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନ ହେବ ସେଥିପ୍ରତି କଡ଼ା ନଜର ରଖାଯାଇଥିବା ଗରିଆବନ୍ଦ ଅତିରିକ୍ତ ଏସ୍ପି ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।



