ବଡ଼ ଡ୍ରେନ୍ ପାର୍ଶ୍ୱରେ ହେବ ସୁରକ୍ଷା ବ୍ୟାରିକେଡ୍ ବ୍ୟବସ୍ଥା - ମନ୍ତ୍ରୀ
ଭୁବନେଶ୍ୱର : ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ସରକାର ଆକ୍ସନ୍ ମୋଡ୍କୁ ଆସିଛନ୍ତି । ଟ୍ୱିନ୍ ସିଟି ଭୁବନେଶ୍ୱର-କଟକ ଓ ପୁରୀ ପାଇଁ ସ୍ୱତନ୍ତ୍ର ରୋଡ୍ମ୍ୟାପ ପ୍ରସ୍ତୁତ କରାଯାଇଛି । ଲୋକଙ୍କ ସୁରକ୍ଷା ସହ ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନଗର ଉନ୍ନୟନ ବିଭାଗ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛି । ବଡ଼ ବଡ଼ ଡ୍ରେନ୍ କଡ଼ରେ ସୁରକ୍ଷା ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ସହରାଞ୍ଚଳରେ ଥିବା ବିଭିନ୍ନ ନାଳର ମରାମତି କାମ ସହ ପଙ୍କ ଉଦ୍ଧାର ଏବଂ ସଫେଇ କାର୍ଯ୍ୟ ପ୍ରାୟ ସମାପ୍ତ ହୋଇଥିବା ସେ କହିଛନ୍ତି ।
ବର୍ଷା ଜଳ ଜମୁଥିବା ସ୍ଥାନଗୁଡ଼ିକରେ ବିଭାଗୀୟ କର୍ମଚାରୀଙ୍କ ସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମିଳିତ ଭାବେ ଜଳ ନିଷ୍କାସନ କାର୍ଯ୍ୟ କରିବେ । ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ସମସ୍ତ ସହରାଞ୍ଚଳ ନିକାୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅଧିକ ବର୍ଷାର ସମ୍ଭାବନାକୁ ଦେଖି ଅଧିକାରୀମାନଙ୍କୁ ହାଇ ଆଲର୍ଟରେ ରହିବାକୁ କୁହାଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସ୍ଥିତି ଉପରେ ନଜର ରଖାଯିବ ଏବଂ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ନଗର ଉନ୍ନୟନ ବିଭାଗ ସୂଚନା ଦେଇଛି ।




