ଲଗାଣ ବର୍ଷା ଯୋଗୁଁ ଆଜି ୪ ଜିଲ୍ଲାର ସ୍କୁଲ ବନ୍ଦ

୪ ଜିଲ୍ଲାକୁ ଅରେଞ୍ଜ, ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ

ଲଗାଣ ବର୍ଷା ଯୋଗୁଁ ଆଜି ୪ ଜିଲ୍ଲାର ସ୍କୁଲ ବନ୍ଦ
Samaya Live News Picture
Published On

ଭୁବନେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହେଲାଣି ଜନ ଜୀବନ । ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ପଛକୁ ପଛ ଲାଗି ରହିଥିଵା ଲଘୁଚାପ ବର୍ଷାରେ ଉବୁଟୁବୁ ହେଉଛି ଉତ୍ତର ଓଡ଼ିଶା । ପ୍ରବଳ ବର୍ଷା ଯୋଗୁଁ ଆଜି ୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ ସମସ୍ତ ଅଙ୍ଗନବାଡି, ସରକାରୀ ଓ ଘରୋଇ ସ୍କୁଲ ଛୁଟି ରଖାଯାଇଛି । ଭଦ୍ରକର ବିଭିନ୍ନ ଗାଁ ଭିତରେ ପଶିଛି ବନ୍ୟା ପାଣି। ଘର ଭିତରେ ପାଣି ଜମିରହିବାରୁ ଅନେକଙ୍କ ଘରେ ରୋଷେଇ ବନ୍ଦ । ବାରୋ ପଞ୍ଚାୟତ ର ବଳିୟାରପୁର ଗାଁ ଜଳ ବନ୍ଦୀ ହୋଇ ପଡିଛି । ଲୋକଙ୍କୁ ଉଚ୍ଚା ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ହଦଗଡ଼ ଡ୍ୟାମରୁ ପାଣି ଛଡା ଯିବା ପରେ ସାଳନ୍ଦୀ ଓ ନାଳିଆ ନଦୀରେ ଆସିଛି ବନ୍ୟା । ଫଳରେ ତିହିଡି ବ୍ଲକର ବାରୋ, ବିଲଣା, କୁବେରା, କାଁ ପଡା, ତଳ ଗୋପବିନ୍ଧା ଆଦି ପଞ୍ଚାୟତର ଶହ ଶହ ହେକ୍ଟର ଚାଷ ଜମିରେ ପାଣି ପଶିଛି । ଆଡି ବନ୍ଧ ଦୁର୍ବଳ ଥିବାରୁ ବନ୍ଧ ଭାଙ୍ଗିବାର ଆଶଙ୍କା ଦେଖା ଯାଇଛି । ଫଳରେ ନଦୀ କୁଳିଆ ଲୋକ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ବାଲେଶ୍ବରରେ ମଧ୍ୟ ଜୀବନ ବେହାଲ । ରାତିସାରା ବର୍ଷା ଯୋଗୁଁ ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ବାଲେଶ୍ଵର ପୌରପାଳିକା ଅନ୍ତର୍ଗତ ଚିଡିଆ ପୋଲ, ଗୁଡ଼ି ପଦା, ଏକତା ନଗର, କଂଗ୍ରେସ୍ ଗଳି, ସିଟି କ୍ଲିନିକ୍ ଛକ ଆଦି ଜଳମଗ୍ନ ହୋଇଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେପଟେ, ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ସମେତ ଉତ୍ତର ଓଡ଼ିଶାର ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ସାଳନ୍ଦୀ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ଜଳ ପ୍ରବେଶ କରୁଛି। ମୁଣ୍ଡଳିଠାରେ ଜଳପ୍ରବାହ ବୃଦ୍ଧି ପାଉଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।  ସ୍ଥିତିର ମୁକାବିଲା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲା ପ୍ରଶାସନକୁ ୨୪ ଘଣ୍ଟିଆ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବନ୍ୟା ପ୍ରବଣ ଜିଲ୍ଲାର ଜିଲ୍ଲାପାଳ, ଜଳସମ୍ପଦ ବିଭାଗ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ସ୍ଥିତି ଉପରେ ନଜର ରଖିବା ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

Tags: