ଡାଇରିଆ ରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ

ଗ୍ରାମବାସୀଙ୍କ ରାସ୍ତା ରୋକ , ପ୍ରଧାନଶିକ୍ଷକ ନିଲମ୍ୱିତ ,୩ ଲକ୍ଷ ଟଙ୍କା ସହାୟତା ଘୋଷଣା

ଡାଇରିଆ ରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ
Samaya Live News Picture
Published On

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ କାକବନ୍ଧ ଆଶ୍ରମ ସ୍କୁଲ ରେ ଡାଇରିଆ ଆତଙ୍କ । ଚିକିତ୍ସାଧୀନ ଅବସ୍ଥାରେ ଆଶ୍ରମ ସ୍କୁଲ ର ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ । ମୃତକ ହେଲେ ରୁପାଲୀ ବେସ୍ରା । ସେ ବାରିପଦା ସ୍ଥିତ PRM ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଛାତ୍ରୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ନଳଗଜା ଠାରେ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ । ଏହି ଘଟଣା ରେ କାକବନ୍ଧ ଆଶ୍ରମ ସ୍କୁଲ ର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

ସୂଚନାନୁସାରେ, ଗତକାଲି ସକାଳେ ଆଶ୍ରମ ସ୍କୁଲ ଅନ୍ତେବାସୀ ସକାଳ ଜଳଖିଆରେ ପଖାଳ ଭାତ ଖାଇବା ପରେ ହଠାତ ଜ୍ୱର ସହ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ୧୨୦ ରୁ ଉର୍ଦ୍ଧ୍ବ ଅନ୍ତେବାସୀ । ସେମାନଙ୍କୁ ପ୍ରଥମେ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏହାପରେ କିଛି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାରିପଦା ମୁଖ୍ୟ ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ବିଳମ୍ବିତ ରାତିରେ ରୁପାଲୀ ବେସ୍ରାଙ୍କର ମୃତ୍ୟୁ ଘଟିଛି ।

ସେପଟେ ଘଟଣା ସଂପର୍କରେ ଖବର ପାଇ ମୋରଡ଼ା ବିଧାୟକ ତଥା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୋମବାର ବିଳମ୍ବିତ ରାତିରେ ବାରିପଦା ମେଡିକାଲରେ ପହଞ୍ଚିଥିଲେ । ସେଠାରେ ଅସୁସ୍ଥା ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆରୋଗ୍ୟ କାମନା କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି । ଅସୁସ୍ଥଙ୍କୁ ଭେଟିବା ପରେ ମନ୍ତ୍ରୀ କହିଛନ୍ତି ଯେ, ପିଲାଙ୍କ ସ୍ୱାସ୍ଥ୍ୟ ସହ ଖେଳା ନଯାଉ । ଖାଦ୍ୟର ମାନ ଏବଂ ସ୍ୱଚ୍ଛତା ରକ୍ଷାରେ ଯଦି କିଛି ଅବହେଳା ରହିଥିବ, ତେବେ ତାର ତଦନ୍ତ କରାଯିବ । ଯଦି ତଦନ୍ତରେ ପିଲାଙ୍କ ସ୍ଥିତି ପାଇଁ ଯେଉଁମାନେ ଦାୟୀ ଥିବେ । ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଏହି ଘଟଣାରେ ମୃତ ଛାତ୍ରୀଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି । 

Tags: