ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ୫ ଜିଲ୍ଲାରେ ସ୍କୁଲ ଛୁଟି
ପୁରୀ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଭୁବନେଶ୍ୱର : ବର୍ଷା ପବନକୁ ଦୃଷ୍ଟିରେ ରଖି ୫ ଜିଲ୍ଲାରେ ସ୍କୁଲ ଛୁଟି। ଖୋର୍ଦ୍ଧା, ଜଗତସିଂହପୁର, ମାଲକାନଗିରି, ଗଜପତି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ୨୨ତାରିଖ ରୁ ୨୪ ତାରିଖ ଯାଏ ଏହି ସବୁ ଜିଲ୍ଲାରେ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ସହିତ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ । କିନ୍ତୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ । ତେବେ ଆଜି ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ ଏନଆରଟିଏସ ପରୀକ୍ଷା ଅନୁଷ୍ଠିତ ହେବ ।
ସେହିପରି ବିଦ୍ୟାଳୟ ଗୁଡ଼ିକ ୨୪ ଘଣ୍ଟା ଖୋଲା ରଖିବା ପାଇଁ ରୋଷ୍ଟର ଡ୍ୟୁଟି ପ୍ରଚଳନ ପାଇଁ ପ୍ରଧାନଶିକ୍ଷକ ଏବଂ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ଜନସାଧାରଣଙ୍କ ସୁରକ୍ଷା ଓ ଶିଶୁମାନଙ୍କ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ‘ଶୂନ୍ୟ ମୃତାହତ’ ନୀତି ଅନୁସରଣ କରିଛି ଜିଲ୍ଲା ପ୍ରଶାସନ ।
ସେପଟେ, ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ନେଇଛି ବଡ଼ ପଦକ୍ଷେପ । ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହ କୌଣସି କର୍ମଚାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ବର୍ଷାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ, ରାସ୍ତାଘାଟରେ ପାଣି ଜମିବା ଏବଂ ଅନ୍ୟାନ୍ୟ ସମସ୍ୟା ଦେଖାଦେଲେ ତୁରନ୍ତ ପ୍ରଶାସନିକ ପଦକ୍ଷେପ ନେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ, ଜରୁରୀ ପରିସ୍ଥିତିରେ ଅଧିକାରୀ ଓ କର୍ମଚାରୀମାନେ ନିଜ ନିଜ ଦାୟିତ୍ୱରେ ଉପସ୍ଥିତ ରହିବେ।




