ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପାଇଁ ଜାରି ହେଲା କାର୍ଯ୍ୟସୂଚୀ
ଭୁବନେଶ୍ୱର : ଆସନ୍ତା ୨୦ ଜୁନରେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଏକ ଦିନିକିଆ ଗସ୍ତରେ ସେ ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ।
ସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ତାରିଖ ପୂର୍ବାହ୍ନ ୧୧ଟା ୫ରେ ମୟୂରଭଞ୍ଜଜିଲ୍ଲା ପାହାଡ଼ପୁର ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ଗୋଷାଣୀ ପୀଠ ପାହାଡ଼ପୁରରେ ପହଞ୍ଚି ଐତିହାସିକ ସ୍ଥଳ ପରିଦର୍ଶନ କରିବେ । ସେଠାରେ ୧୧ଟା ୧୫ରୁ ୧୨ଟା ୧୫ ମିନିଟ୍ ପର୍ଯ୍ୟନ୍ତ ପ୍ରାୟ ଘଣ୍ଟାଏ ସମୟ ବିତାଇବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନ ୧ଟାରୁ ୨ଟା ଯାଏ ଦାଣ୍ଡବୋଷରେ ଆୟୋଜିତ ଓଡ଼ିଶା ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଉତ୍ସରେ ଯୋଗ ଦେବେ। ସେଠାରେ ସେ ସାଧାରଣ ସଭାରେ ଉଦ୍ବୋଧନ ଦେବେ। ୨ଟା ୧୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଏନେଇ ବିଜେପି ସାଧାରଣ ସଂପାଦକ ବିରଞ୍ଚି ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଅନ୍ୟାନ୍ୟ ପ୍ରସ୍ତୁତି ଜୋରଦାର କରାଯାଇଛି। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ବହୁ ସଂଖ୍ୟକ ଲୋକଙ୍କ ସମାଗମ ହେବାର ଆଶା କରାଯାଉଛି।




