ଜୁନ୍ ୩୦ ସୁଦ୍ଧା ଏସସିବିର ନୂଆ କ୍ଲିନିକାଲ୍ ୟୁନିଟ୍ ବିଲ୍ଡିଂ ହେବ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ : ମନ୍ତ୍ରୀ
ଭୁବନେଶ୍ବର : ଏସସିବି ସମ୍ପ୍ରସାରଣ କାର୍ଯ୍ୟ ବୁଲି ଦେଖିଲେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏମ୍ସ ପ୍ଲସ ଢାଞ୍ଚାରେ ନିର୍ମାଣ ହେଉଥିବା ଏସସିବିର ନୂଆ କ୍ଲିନିକାଲ୍ ୟୁନିଟ୍ ବିଲ୍ଡିଂ ଚଳିତବର୍ଷ ଜୁନ ୩୦ ସୁଦ୍ଧା ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି । ଚଳିତ ମାସରେ ନିର୍ମାଣ କାର୍ଯ୍ୟ ଶେଷ ହେବ ।
ମନ୍ତ୍ରୀ କହିଛନ୍ତି , ନୂତନ କ୍ଲିନିକାଲ୍ ୟୁନିଟ୍ ବିଲଡିଂ (ଟାୱାର୍ସ ୧ ଏବଂ ୨) ର ନିର୍ମାଣ କାର୍ଯ୍ୟ ଯଥେଷ୍ଟ ପରିମାଣରେ ସମାପ୍ତ ହୋଇଛି । କ୍ଲିନିକାଲ୍ ୟୁନିଟ୍ ଟାୱାରଗୁଡ଼ିକର ସମସ୍ତ ପ୍ରମୁଖ ସାଂରଚନିକ କାର୍ଯ୍ୟ ବର୍ତ୍ତମାନ ସମାପ୍ତ ହୋଇଛି । ଜୁନ୍ ୩୦ ସୁଦ୍ଧା ଏହି କୋଠା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । କାର୍ଯ୍ୟକ୍ଷମ ହେବା ପରେ, ଏହି ସୁବିଧା ରୋଗୀ ସେବା କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ। ସେହିପରି ହଷ୍ଟେଲ କାର୍ଯ୍ୟ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ଶେଷ ହେବ । ବର୍ତ୍ତମାନ ସୁଦ୍ଧା କ୍ଲିନିକାଲ ବିଲ୍ଡିଂ ଶେଷ ପର୍ଯ୍ୟାୟରେ ପହଁଚିଛି। ଚିକିତ୍ସା ସମ୍ବନ୍ଧୀୟ ସାମଗ୍ରୀ ବିଲ୍ଡିଂରେ ରହିବା ପରେ ତାହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ମନ୍ତ୍ରୀ ।
ସେପଟେ, ଏସସିବି ଟ୍ରମା କେୟାର ଅଗ୍ନିକାଣ୍ଡ ଘଟଣାକୁ ନେଇ ରାଜ୍ୟ ସରକାର ତତ୍ପର ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ତମାମ ଦିଗକୁ ନିରୀକ୍ଷଣ କରି ଏହାର କାରଣ ଜାଣିବା ପାଇଁ ଉନ୍ନୟନ କମିଶନରଙ୍କ ଅଧୀନରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି । ଜୁଡିସିଆଲ ରିପୋର୍ଟ, ଆସିବାରେ ବିଳମ୍ବ ହୋଇପାରେ, କିନ୍ତୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଶୀଘ୍ର ତଦନ୍ତ କରି ଏହାର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବେ । ଅଗ୍ନିକାଣ୍ଡ ଘଟଣାରେ ବିନା ତଦନ୍ତରେ ଦୋଷୀ କିଏ ଜାଣିବା କଷ୍ଟ । ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୂର୍ତ୍ତମନ୍ତ୍ରୀ କହିଛନ୍ତି ।




