ଏସସିବିରେ ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା ମାମଲା, ୨ ଗିରଫ
କଟକ : କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମାନସିକ ରୋଗ ବିଭାଗରେ ଜଣେ ରୋଗୀଙ୍କୁ ପିଟି ପିଟି ମାରିଦେବା ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ । ଅଭିଯୁକ୍ତ ମାନେ ହେଲେ ୱାର୍ଡ ଅଟେଣ୍ଡାଣ୍ଟ ଜଗନ୍ନାଥ ରାଓ ଓ ସିକ୍ୟୁରିଟି ଗାର୍ଡ ଦିଲ୍ଲୀପ କୁମାର ପ୍ରଧାନ । ଏନେଇ କଟକ ଡିସିପି ରିଷିକେଶ ଖିଲାରୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ସମ୍ପୂର୍ଣ୍ଣ ପୋଷ୍ଟମର୍ଟମ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ଯାହା ଫଳରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । କିନ୍ତୁ ସିସିଟିଭି ଫୁଟେଜରେ ଦୁଇ ଅଭିଯୁକ୍ତ ମାଡ ମାରୁଥିବା ଦେଖିବାକୁ ମିଳିଥିଲା । ସେହି ଆଧାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଯାଜପୁର ରୋଡ୍ ପହଙ୍ଗା ଅଞ୍ଚଳର ଶ୍ରୀକାନ୍ତ ଦାସ । ସେ ମାନସିକ ରୋଗରେ ପୀଡ଼ିତ ଥିବାରୁ ଗତ ସେପ୍ଟେମ୍ବର ୨୮ ତାରିଖରେ ତାଙ୍କୁ ଏସସିବିର ମାନସିକ ରୋଗ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଥିଲା । ତେବେ ୩୦ ତାରିଖ ରାତିରେ ସେ ଘରକୁ ଯିବେ ବୋଲି ଜିଦ ଧରିବାରୁ, ଜଗନ୍ନାଥ ରାଓ ଓ ସିକ୍ୟୁରିଟି ଗାର୍ଡ ଦିଲ୍ଲୀପ କୁମାର ପ୍ରଧାନ ହସ୍ପିଟାଲରେ ପିଟି ପିଟି ହତ୍ୟା କରାଯାଇଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା ।
ସୂଚନାନୁସାରେ, ଶ୍ରୀକାନ୍ତଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା । ତେଣୁ ସେ ଚିନ୍ତିତ ରହୁଥିଲେ। ବର୍ଷେ ହେଲାଣି ସେ ମଦ ପିଉଥିଲେ । ମଝିରେ ମଝିରେ ସେ ବାଉଳିଚାଉଳି ହେଉଥିଲେ । ଧୀରେ ଧୀରେ ଏହା ବଢ଼ିଥିଲା । ତାଙ୍କ ମାନସିକ ଅବସ୍ଥା ଭଲ ରହୁନଥିବାରୁ ପଡ଼ୋଶୀଙ୍କ ପରାମର୍ଶକ୍ରମେ ପରିବାର ଲୋକେ ତାଙ୍କୁ ସେପ୍ଟେମ୍ୱର ୨୮ ତାରିଖରେ କଟକ ବଡ଼ ଡାକ୍ତରଖାନାର ମାନସିକ ରୋଗ ବିଭାଗକୁ ଆଣିଥିଲେ। ତାଙ୍କୁ ସେଠାରେ ଆଡ୍ମିଟ୍ କରାଯାଇଥିଲା ।
କିନ୍ତୁ ୨୯ ତାରିଖ ଦିନ ରାତିରେ ତାଙ୍କୁ ମାଡ଼ ମରାଯାଇ ବେଡ୍ରେ ତାଙ୍କ ହାତ, ଗୋଡ଼ ବାନ୍ଧି ଇଞ୍ଜେକ୍ସନ ଦିଆଯାଇଥିଲା । କିନ୍ତୁ ରାତି ପ୍ରାୟ ସାଢ଼େ ୪ଟା ବେଳେ ତାଙ୍କୁ ମୃତ ଅବସ୍ଥାରେ ପାଇଥିଲେ ତାଙ୍କ ପରିବାର ଲୋକେ। ତାଙ୍କ ଦେହ ସାରା ଦାଗ ଦେଖି ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ନିକଟରେ ଆସିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ଅତ୍ୟଧିକ ମାଡ଼ ଯୋଗୁଁ ହିଁ ତାଙ୍କର ମୃତ୍ୟୁ ହୋଇଛି ।
ପୋଲିସ ମେଡିକାଲର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଏହି ଦୁଇ କର୍ମଚାରୀଙ୍କ ସମ୍ପୃକ୍ତି ଜଣାପଡ଼ିଥିଲା ଏବଂ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।




