ଏସସିବି ଅଗ୍ନିକାଣ୍ଡ ବଦଳିଲେ ଅଧ୍ୟକ୍ଷ ଏବଂ ଅଧୀକ୍ଷକ
କଟକ : ଏସ୍ସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ବଦଳିଲେ ମେଡିକାଲ ଡିନ୍ (ଅଧ୍ୟକ୍ଷ) ଏବଂ ଅଧୀକ୍ଷକ । କାର୍ଯ୍ୟରେ ଗୁରୁତର ଅବହେଳା ପାଇଁ ରବିବାର ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପରେ ଶେଷରେ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ରବିବାର ଛୁଟିଦିନ ସତ୍ତ୍ବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ସମ୍ପର୍କରେ ସୂଚନା ଜାରି କରାଯାଇଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ବାରିପଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ପ୍ରଫେସର ଡା. ପ୍ରତିଭା ପଣ୍ଡାଙ୍କୁ ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ଭାବେ ନିଯୁକ୍ତ କରାଯାଇଛି।
ସେହିପରି ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ଭାବେ କାର୍ଯ୍ୟରତ ପ୍ରଫେସର ଡା. ଲୁସି ଦାସଙ୍କୁ ଏସ୍ସିବି ମେଡିକାଲ ସିଭିଟିଏସ୍ ପ୍ରଫେସର ଭାବେ ବଦଳି କରାଯାଇଛି। ଏଥିସହ ତାଙ୍କୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଏସ୍ସିବି ମେଡିକାଲ ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ଥିବା ଡା. ନିର୍ମଳ ଚନ୍ଦ୍ର ମହାପାତ୍ର ବାରିପଦା ମେଡିକାଲ କଲେଜର ଡିନ୍ ଭାବେ କାର୍ଯ୍ୟ କରିବେ।
ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲ ଅସ୍ଥିଶଲ୍ୟ ବିଭାଗ ପ୍ରଫେସର ଡା. ସତ୍ୟଜିତ ରାୟଙ୍କୁ ଏସ୍ସିବି ଅସ୍ଥିଶଲ୍ୟ ବିଭାଗ ପ୍ରଫେସର ଭାବେ ଦାୟିତ୍ବ ଦିଆଯାଇଛି। ଏଥିସହ ଏସ୍ସିବିକୁ ଡେପୁଟେସନରେ ଥିବା ବ୍ରହ୍ମପୁର ମେଡିକାଲ କଲେଜ ଅସ୍ଥିଶଲ୍ୟ ବିଭାଗ ସହଯୋଗୀ ପ୍ରଫେସର ଡା. ତାପସ କୁମାର ପାଣିଗ୍ରାହୀଙ୍କୁ ସୁନ୍ଦରଗଡ଼ ମେଡିକାଲ କଲେଜକୁ ବଦଳି କରାଯାଇଛି।




