ଜାତୀୟ ଅନୁସୂଚିତ ଜନଜାତି କମିଶନରଙ୍କ ଠାରେ ସିଜିମାଳି ମାମଲା ରୁଜୁ କଲେ ସସ୍ମିତ ପାତ୍ର
ଭୁବନେଶ୍ୱର: ସିଜିମାଳି ପାଇଁ ଜାତୀୟ ଅନୁସୂଚିତ ଜନଜାତି କମିଶନରଙ୍କୁ ଭେଟିଲେ ଡ଼. ସସ୍ମିତ ପାତ୍ର । ଆଜି ନୂଆଦିଲ୍ଲୀ ଠାରେ ଏନସିଏସଟିର ଅଧ୍ୟକ୍ଷଙ୍କୁ ଭେଟି ସିଜିମାଳି ସଙ୍କ୍ରାନ୍ତରେଏକ ଦାବିପତ୍ର ପ୍ରଦାନ କରିବା ସହିତ ମାମଲା ରୁଜୁ କରିଛନ୍ତି ।
ଜାତୀୟ ଅନୁସୂଚିତ ଜନଜାତି କମିଶନର ଅଧ୍ୟକ୍ଷ ଶ୍ରୀ ଅନ୍ତର ସିଂହ ଆର୍ଯ୍ୟ ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ତାଙ୍କ କାର୍ଯ୍ୟାଳୟରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଦ୍ୱାରା ଓଡ଼ିଶାର ସିଜିମାଳିରେ ବକ୍ସାଇଟ୍ ଖଣି ପ୍ରକଳ୍ପକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଏବଂ ଆଦିବାସୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସମ୍ପର୍କିତ ଘଟଣାକୁ ନେଇ ଆବେଦନ ଗ୍ରହଣ କରିଛନ୍ତି। ଖୁବ ଶୀଘ୍ର ଏହା ଏନସିଏସଟିରୁ ଏକ ଦଳ ସିଜିମାଳି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ବ୍ୟକ୍ତିଗତ ଭାବରେ ଏନସିଏସଟି ଅଧ୍ୟକ୍ଷ ଏହି ମାମଲାର ଶୁଣାଣି କରିବେ।
ସୂଚନାନୁଯାୟୀ, ରାୟଗଡ଼ା ଜିଲ୍ଲା ସିଜିମାଳିରେ ପ୍ରସ୍ତାବିତ ବକ୍ସାଇଟ୍ ଖଣି ପ୍ରକଳ୍ପକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଏବଂ ଆଦିବାସୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲେ ସାଂସଦ ଡ. ସସ୍ମିତ ପାତ୍ର। ତୁରନ୍ତ ଏହି ଘଟଣାକୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉ ଏବଂ ତଦନ୍ତ କରାଯାଉ ବୋଲି ସସ୍ମିତ୍ କହିଥିଲେ।



