ବିବାହ ଶୋଭାଯାତ୍ରା ବେଳେ ସମିତି ସଭ୍ୟଙ୍କୁ ଆକ୍ରମଣ,୪ ଆହତ
ବ୍ରହ୍ମପୁର : ବିବାହ ଶୋଭାଯାତ୍ରା ଚାଲିଥିବାବେଳେ ନିଶାସକ୍ତ ବରଯାତ୍ରୀଙ୍କ ଉନ୍ନମତ କାଣ୍ଡ । ଘରେ ପଶି ସମିତି ସଭ୍ୟଙ୍କ ସମେତ ୪ ଜଣଙ୍କୁ ଆକ୍ରମଣ କରିଛନ୍ତି । ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ବାଘାଳା ପଞ୍ଚାୟତ କୁଶପୁର ଗାଁରେ ଏକ ବାହାଘର ଶୋଭାଯାତ୍ରା ଚାଲିଥିବାବେଳେ କିଛି ବରଯାତ୍ରୀ ନିଶାସକ୍ତ ଅବସ୍ଥାରେ ପାଖରେ ଥିବା ଘର ଗୁଡିକ ଉପରକୁ ଇଟା ପଥର ଫିଙ୍ଗିଥିଲେ । ଏହା ଦେଖିବା ପରେ ଏହି ଗାଁର ସମିତି ସଭ୍ୟ ପ୍ରକାଶ ନାହାକ ଉକ୍ତ ନିଶାସକ୍ତ ଯୁବକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯୁବକମାନେ ପ୍ରକାଶଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଏତିକିବେଳେ ପ୍ରକାଶ ଜଣଙ୍କ ଘରେ ପଶିଯିବାରୁ ସେଠାରେ ତାଙ୍କୁ ଆକ୍ରମଣ କରିବା ସହ ପ୍ରକାଶଙ୍କ ୪ ସହଯୋଗୀଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି । ଗୁରୁତରମାନଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ୭ ଜଣ ବରଯାତ୍ରୀଙ୍କ ଅଟକ ରଖିଛି ।



