ଅଶୋକାଷ୍ଟମୀ ତିଥିରେ ଅନୁଷ୍ଠିତ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା
ଭୁବନେଶ୍ୱର : ଆଜି ପବିତ୍ର ଅଶୋକାଷ୍ଟମୀ । ଆଜି ଦିନରେ ଏକାମ୍ର ଅଧିପତି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହୋଇଥାଏ । ରଥରେ ବିରାଜିବେ ମା’ରୁକ୍ମିଣୀ ଓ ପ୍ରଭୁ ବାସୁଦେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅପେକ୍ଷାରେ ରହିଛି ରଥ । ଠାକୁରଙ୍କ ଏହି ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଉତ୍ସବ ମୁଖର ହୋଇ ଉଠିଛି ପୁରୁଣା ଭୁବନେଶ୍ୱରର ଏକାମ୍ରକ୍ଷେତ୍ର ।
ବୁଧବାର ବିଳମ୍ବିତ ରାତିରେ ୧୮ ଜଣ କ୍ଷେତ୍ରବାସୀ ବ୍ରାହ୍ମଣଙ୍କ ସହିତ ପୁରୀର ସୁଧାଶୁଂ ଶେଖର ଓ ଦେବୀ ପ୍ରସାଦ ରାଜଗୁରୁଙ୍କ ଉପସ୍ଥିତିରେ ରୁକୁଣା ରଥ ପ୍ରତିଷ୍ଠା ପୂଜା ହୋଇଛି । ଗୁରୁବାର ଦିନ ୧୦ଟା ୪୫ରୁ ପହଣ୍ଡି ଏବଂ ୨ଟା ୩୦ରେ ରଥଟଣା ନୀତି ଆରମ୍ଭ ହେବ । ରଥ କାଳିସ ଠାକୁରଙ୍କ ଆଜ୍ଞାମାଳ ପାଇବା ପରେ ଆରମ୍ଭ ହେବ ରଥ ଟଣା । ମୁଗ ଡାଲି, ଅନ୍ନ ଖାଇ ରଥକୁ ବିରାଜିବେ ଶ୍ରୀଲିଙ୍ଗରାଜ । ରଥରେ ସ୍ୱୟଂ ବ୍ରହ୍ମା ସାରଥି ହେବେ ଓ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଏବଂ ମା’ଦୁର୍ଗା ବିରାଜମାନ କରି ରାମେଶ୍ୱରକୁ ଯାତ୍ରା କରିବେ । ପ୍ରଶାସନ ତରଫରୁ ଏ ବର୍ଷ ସଅଳ ନୀତି ନିର୍ଘଣ୍ଟ ନିର୍ଦ୍ଧାରଣ ହୋଇଛି । ପହିଲି ନୀତି ମଙ୍ଗଳ ଆଳତି ଏବଂ ଅବକାଶ ଭୋର ୪ଟାରୁ ସାଢେ ୪ଟାରେ ସାରି ଶ୍ରୀଜିଉଙ୍କ ବହ୍ଲଭ, ମା’ଭୁବନେଶ୍ୱରୀଙ୍କ ବହ୍ଲଭ ଏବଂ ସକାଳଧୂପ ୮ଟା ୧୫ ମଧ୍ୟରେ ବଢି ଭୋଗ ମଣ୍ଡପ ସକାଳ ୯ଟା ୧୫ରେ ସରିବ । ଠାକୁରଙ୍କୁ କୋଠ ଭୋଗରେ ସରୁ ଅନ୍ନ ଆଉ ରଣପୁରର ବାସ ଯୁକ୍ତ ମୁଗ ଡାଲି ଲାଗି ହେବ ।
ଏଥିସହ ରଥାରୁଢ ଦିଅଁଙ୍କ ଦର୍ଶନ ଅନୁମତି ଦିନ ୧ଟା ୪୫ ଯାଏ ଦିଆଯିବ । ଅପରାହ୍ନ ସାଢେ ୨ଟା ସୁଧା ଘୋଡା ଯୋଚି ଚାରମାଳ ଖୋଲି ରଥଟଣା ଆରମ୍ଭ ହେବ । ସୁରକ୍ଷା ନିମନ୍ତେ ୨ ଜଣ ଡିସିପି ଓ ୩ ଜଣ ଅତିରିକ୍ତ ଡିସିପିଙ୍କ ସମେତ ୧୬ ପ୍ଳାଟୁନ ଫୋର୍ସ ଜଗି ରହିବେ ।



