ଚାଉଳ ବନ୍ଦ ହୋଇ ନାହିଁ - ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ସରକାରୀ ଚାଉଳ ବଣ୍ଟନକୁ ନେଇ କୌଣସି ସମସ୍ୟା ନଥିବା ସ୍ପଷ୍ଟ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଚାଉଳ ବଣ୍ଟନକୁ ନେଇ ବିଭିନ୍ନ ସ୍ଥାନରୁ ଆସୁଥିବା ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଯେ, ଜୁଲାଇ ମାସରେ ଚାଉଳ ବଣ୍ଟନ କରାଯାଇସାରିଛି ଏବଂ ଏଥିରେ କୌଣସି ଅସୁବିଧା ନାହିଁ । ସଫ୍ଟୱେର କାମ ଚାଲୁଥିବାରୁ ସାମାନ୍ୟ ବିଳମ୍ବ ହେଉଛି । ‘ଅନ୍ନପୂର୍ଣ୍ଣ ଯୋଜନା’ କାର୍ଯ୍ୟକାରୀ ହେବା ପରେ ଉପଭୋକ୍ତାଙ୍କ ଘରେ ପର୍ଯ୍ୟାପ୍ତ ପରିମାଣର ଚାଉଳ ଉପଲବ୍ଧ ରହିଛି। ତେଣୁ ଚାଉଳ ଅଭାବକୁ ନେଇ ଚିନ୍ତାର କୌଣସି କାରଣ ନାହିଁ।
ରାଜ୍ୟର କୌଣସି ସ୍ଥାନରେ ଚାଉଳ ବଣ୍ଟନରେ ବାଧା ସୃଷ୍ଟି ହୋଇନଥିବା ବେଳେ, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ସହାୟତା ସୁନିଶ୍ଚିତ କରିବାକୁ ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ।
ବନ୍ୟା ପରିସ୍ଥିତିରେ ରିଲିଫ ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ, ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଚାଉଳ ସହ ଶୁଖିଲା ଖାଦ୍ୟ ସାମଗ୍ରୀ ମଧ୍ୟ ପହଞ୍ଚାଇ ଦିଆଯାଇଛି । ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ସତର୍କ ନଜର ରଖିଥିବା ବେଳେ, ଆବଶ୍ୟକତା ଅନୁଯାୟୀ ଖାଦ୍ୟ ସାମଗ୍ରୀ ଯୋଗାଣ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ କୌଣସି ପ୍ରକାର ଖାଦ୍ୟ ସଙ୍କଟ ନହେବା ପାଇଁ ସମସ୍ତ ଜିଲାରେ ପର୍ଯ୍ୟାପ୍ତ ପରିମାଣର ଚାଉଳ ମହଜୁଦ ରଖାଯାଇଛି।




