ବିତର୍କ ପାଇଁ ନବୀନଙ୍କୁ ଆହ୍ୱାନ ଦେଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର : ଆଜି ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ । ଶଙ୍ଖ ଭବନରେ ମହାଆଡମ୍ବରରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ଯୋଗଦେଇ ସଭାପତି ନବୀନ ପଟ୍ଟନାୟକ ବିଜେଡ଼ିକୁ କେହି କେବେ ଭାଙ୍ଗିପାରିବେନି,ଆସନ୍ତା ଶହେ ବର୍ଷ ରହିବ ବିଜେଡି । ବିଜେଡ଼ିକୁ ଭାଙ୍ଗିବା ନେଇ କିଛି ଅପପ୍ରଚାର କରୁଛନ୍ତି ବୋଲି କହିଥିଲେ । ସେହିପରି ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ଯିବା ସହ ଅରାଜକତା ବଢି ବଢି ଚାଲିଛି ବୋଲି କହି ବିଜେପି ସରକାରକୁ ସମାଲୋଚନା କରିଥିଲେ । ତେବେ ନବୀନଙ୍କ ବକ୍ତବ୍ୟକୁ ନେଇ ଖୋଲାଖୋଲି ଆହ୍ୱାନ ଦେଇଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ନବୀନଙ୍କୁ ବିତର୍କ ପାଇଁ ଆହ୍ୱାନ ଦେଉଛୁ । ଆଇନଶୃଙ୍ଖଳା କଥା କହୁଛନ୍ତି ଯଦି ଗୃହରେ ମୁଲତବି ପ୍ରସ୍ତାବ ଆଣନ୍ତୁ । ସରକାର ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି । ବିଜେପି ଜନସେବାରେ ବ୍ୟସ୍ତ ଅଛି, ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରିନି । ବିଜେଡି କିନ୍ତୁ ମେଣ୍ଟ ଭାଙ୍ଗିବା ବେଳେ ବିଜେପିକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା ।
କ୍ଷମତା ଯିବା ପରେ ତାଙ୍କର ଅନେକ ନେତା ବିଜେପି ଯୋଗାଯୋଗରେ ଅଛନ୍ତି । ବିଜେଡି ନେତାଙ୍କୁ ରଖି ପାରୁନି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଏହାସହିତ ସୁରେଶ ବିଜେଡି ଉପରେ ବର୍ଷି କହିଛନ୍ତି କ୍ଷମତା ହେଉଛି ଫେଭିକଲ୍ ଯାହା ଚାଲିଗଲେ ସବୁ ଭାଙ୍ଗିଯାଏ । ନବୀନ ସବୁବେଳେ ନେତାଙ୍କୁ ମାରିଛନ୍ତି, କେବେ କାହାକୁ ତିଆରି କରି ନାହାନ୍ତି ।



