ରାଜସ୍ବ ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ୮ ଜିଲ୍ଲା ପାଇଁ ସ୍ୱତନ୍ତ୍ର ପ୍ୟାକେଜ
ଭୁବନେଶ୍ୱର : ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଚିନ୍ତାରେ ଓଡ଼ିଶା । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବାତ୍ୟାର ସର୍ବାଧିକ ପ୍ରଭାବ ପଡ଼ିବାକୁ ଥିବା ଦକ୍ଷିଣ ଓଡ଼ିଶାର ୮ଟି ପ୍ରମୁଖ ଜିଲ୍ଲାକୁ ସ୍ୱତନ୍ତ୍ର ଦାୟିତ୍ବ ଓ ପ୍ରଶାସନିକ ସଜବାଜ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁଠାରେ ବାତ୍ୟା ସମୟରେ ସ୍ଥିତି ନିୟନ୍ତ୍ରଣ ଓ ସମୀକ୍ଷା ପାଇଁ ୮ ଜଣ ମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ମୁତୟନ କରାଯାଇଛି । ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ଅନୁଭୂତ ହେବ । ବିଶେଷ କରି ମାଲକାନଗିରି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି ।
ବାତ୍ୟା ପ୍ରସ୍ତୁତି ନେଇ ମଙ୍ଗଳବାର ପ୍ରେସମିଟ୍ରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବାତ୍ୟାର ମୁକାବିଲା ପାଇଁ ସରକାର ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ସେ କହିଛନ୍ତି।
୮ ଜିଲ୍ଲାକୁ ୧୯ କୋଟି ଟଙ୍କା
ବାତ୍ୟା ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲା ପାଇଁ ସରକାର ୧୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଓ ରିଲିଫ୍ କାର୍ଯ୍ୟ ପାଇଁ ଏହି ଅର୍ଥ ବ୍ୟବହାର କରାଯିବ ।
ସେହିପରି ୪୬୬ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ଏଠାରେ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ବ୍ୟବସ୍ଥା କରାଯାଇଛି । ତଳିଆ ଓ ବିପଦ ସଙ୍କୁଳ ଅଞ୍ଚଳର ପ୍ରାୟ ୪୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନେଇ ପଦକ୍ଷେପ ନିଆଯାଉଛି ।
ରାଜସ୍ବମନ୍ତ୍ରୀଙ୍କ ସୂଚନାନୁସାରେ, ମାଲକାନଗିରି ସମେତ କୋରାପୁଟ, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିପାରେ। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ଝଟକା ପବନ ବହିବାର ଆଶଙ୍କା ରହିଛି । ବିପର୍ଯ୍ୟୟର ମୁକାବିଲା ପାଇଁ NDRF, ODRAF ଓ ଅଗ୍ନିଶମ ବାହିନୀକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।
ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଭାବିତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କିଛି ଅଞ୍ଚଳରେ ଝିପିଝିପି ବର୍ଷା ମଧ୍ୟ ଆରମ୍ଭ ହୋଇଛି ।
ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯିବା ସହ ଗର୍ଭବତୀ ମହିଳା ଓ ବୃଦ୍ଧବୃଦ୍ଧାମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। ଏହା ସହିତ ପର୍ଯ୍ୟାପ୍ତ ପରିମାଣର ଔଷଧ, ସାପକାମୁଡ଼ା ଇଞ୍ଜେକ୍ସନ (Anti-venom) ଏବଂ ଗୋଖାଦ୍ୟ ମହଜୁଦ ରଖାଯାଇଛି।
୨୪/୭ କଣ୍ଟ୍ରୋଲ ରୁମ୍: ସ୍ଥିତି ଉପରେ ନଜର ରଖିବା ପାଇଁ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି। NDRF, ODRAF ଏବଂ ଅଗ୍ନିଶମ ବାହିନୀକୁ ଆଲର୍ଟ ମୋଡ୍ରେ ରଖାଯାଇଛି ।
ସେହିପରି ୮ ଜିଲ୍ଲା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଓ ମନ୍ତ୍ରୀମାନଙ୍କ ଦାୟିତ୍ୱ ଦିଆଯାଇଛି :
ଜିଲ୍ଲା ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ / ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ପ୍ରସ୍ତୁତି ଓ ପଦକ୍ଷେପ
କୋରାପୁଟ : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ --୨୪/୭ କଣ୍ଟ୍ରୋଲ ରୁମ୍, ଗର୍ଭବତୀ ମହିଳାଙ୍କ ସ୍ଥାନାନ୍ତରଣ, ସ୍କୁଲ ବନ୍ଦ
ରାୟଗଡ଼ା : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା --ଉଦ୍ଧାରକାରୀ ଦଳ ପ୍ରସ୍ତୁତ, ଜରୁରୀକାଳୀନ ମେଡିକାଲ୍ କିଟ୍ ମହଜୁଦ
କନ୍ଧମାଳ : ମନ୍ତ୍ରୀ ରବି ନାରାୟଣ ନାଏକ -- ବାତ୍ୟା ଆଶ୍ରୟସ୍ଥଳୀ ଯାଞ୍ଚ, ଗୋଖାଦ୍ୟ ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା
ଗଞ୍ଜାମ : ମନ୍ତ୍ରୀ ବିଭୂତି ଭୂଷଣ ଜେନା -- ପ୍ରବଳ ବର୍ଷା ଆଲର୍ଟ, ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ
ନବରଙ୍ଗପୁର : ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର -- ବିଦ୍ୟୁତ ଓ ଯୋଗାଯୋଗ ପୁନରୁଦ୍ଧାର ଦଳ ମୁତୟନ, ପ୍ରଶାସନିକ ସଜବାଜ
ମାଲକାନଗିରି : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ -- NDRF/ODRAF ଟିମ୍ ମୁତୟନ, ରେଡ୍ ଜୋନ୍ ସତର୍କତା
କଳାହାଣ୍ଡି : ମନ୍ତ୍ରୀ ମୁକେଶ ମହାଲିଙ୍ଗ --ବନ୍ୟା ଓ ବର୍ଷା ସ୍ଥିତି ଉପରେ ନଜର, ମେଡିକାଲ ଟିମ୍ ସଜାଗ
ଗଜପତି : ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ --ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ପ୍ରତି ସତର୍କତା, ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ




