ବନ୍ୟା ସହାୟତା ରାଶି ଘୋଷଣା କଲେ ରାଜସ୍ବମନ୍ତ୍ରୀ
ଭୁବନେଶ୍ୱର : ଛାଡ଼ିଛି ବର୍ଷା ,ବଢିଛି ଦୁର୍ଦ୍ଦଶା । ଅନେକ ସ୍ଥାନରେ ବଢି ପାଣି କମିଥିଲେ ମଧ୍ୟ ନାହିଁ ନଥିବା କ୍ଷତି ସହିଛନ୍ତି ଲୋକେ । ଏହାରି ମଧ୍ୟରେ ବନ୍ୟା କ୍ଷୟକ୍ଷତି ସହାୟତା ରାଶି ଘୋଷଣା କରିଛନ୍ତି ରଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । ଶନିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ରାଜସ୍ବମନ୍ତ୍ରୀ ଏବଂ ଏସଆରସି ଆକାଶମାର୍ଗରୁ ବନ୍ୟାଞ୍ଚଳ ବୁଲି ଦେଖିଥିଲେ । ସମୁଦାୟ ୨୨ଟି ଜିଲ୍ଲାରେ ୮୫ ବ୍ଲକ ୧୪୫୮ଟି ଗାଁ ପ୍ରଭାବିତ ହୋଇଛି । ସେହିପରି ପାଖାପାଖି ୮ ଲକ୍ଷ ୬୩ ହଜାର ୯୦୯ ଜଣ ପ୍ରଭାବିତ ହୋଇଥିବା ସୂଚନା ରହିଛି ।
ବନ୍ୟା କ୍ଷତିର ଆକଳନ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ସଂପୂର୍ଣ୍ଣ ପାଣି ନିଷ୍କାସନ ହୋଇଥିବା ସ୍ଥାନରେ ଆକଳନ ଆରମ୍ଭ ହୋଇଛି । କୃଷି ଓ ରାଜସ୍ବ ବିଭାଗ କର୍ମଚାରୀ କ୍ଷୟକ୍ଷତି ଆକଳନରେ ନିୟୋଜିତ ହୋଇଛନ୍ତି । ସଂପୂର୍ଣ୍ଣ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ । ଆଂଶିକ କଚ୍ଚା ଘର ଭାଙ୍ଗିଥିଲେ ୪ ହଜାର, କୁଡ଼ିଆ ଭାଙ୍ଗିଥିଲେ ୮ ହଜାର ମିଳିବ । ଗୁହାଳ ଘର ଭାଙ୍ଗିଥିଲେ ୩ହଜାର ।
ସେହିପରି ଜଳ ସେଚିତ ଜମିରେ ହେକ୍ଟର ପିଛା ୧୭ହଜାର , ଫସଲ ହାନୀ ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା ମିଳିବ ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଅନ୍ୟପଟେ, ବନ୍ୟାଞ୍ଚଳରୁ ୨ ଲକ୍ଷ ୬୭ ହଜାର ୩୦୨ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ଚଳିତ ବନ୍ୟାରେ ୯୬ ଜଣଙ୍କୁ ସାପ କାମୁଡିଥିବାବେଳେ ମୃତ୍ୟୁ ସଂଖ୍ୟା ଶୂନ ଥିଲା ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦେଶକ ଡ. ବସନ୍ତ କୁମାର ପ୍ରଧାନ । ୪୮୧ଜଣ ଗର୍ଭବତୀଙ୍କୁ ଚିକିତ୍ସା କରାଯାଇଥିବାବେଳେ ୩୩୨ଜଣ ପ୍ରସବ କରିଥିବା ସୂଚନା ଦେଇଛନ୍ତି ।




