ହିଟୱେଭ ପାଇଁ ଏସଓପି ଜାରି କଲା ରାଜସ୍ୱ ବିଭାଗ
୨୦ ମିନିଟ୍ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର : ହିଟ୍ଓ୍ୱେଭ୍ ନେଇ ରାଜସ୍ୱ ବିଭାଗର ପ୍ରସ୍ତୁତି ବୈଠକ । ଜିଲ୍ଲାପାଳ ମାନଙ୍କ ସହ ବସିଥିବା ପ୍ରସ୍ତୁତି ବୈଠକରେ ହିଟ୍ଓ୍ୱେଭ୍ ନେଇ ସତର୍କ ରହିବାକୁ ଏସଓପି ଜାରି କରି ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ଏସଓପିରେ ଦର୍ଶାଯାଇଛି ଯେ, ଅଧିକ ଖରା ହେଉଥିବା ଜାଗାରେ ହିଟୱେଭ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ। ଏମର୍ଜେନ୍ସି କଲ ଆସିବାର ୨୦ମିନିଟ ଭିତରେ ଆମ୍ବୁଲାନ୍ସ ପହଞ୍ଚିବ। ଏନେଇ ଜିଲ୍ଲପାଳଙ୍କୁ ଅଧିକୃତ କରାଯାଇଛି । ସରକାର ଦେଇଥିବା ଏସ୍ଓପି ବାହାର ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଗରମ ସମୟ । ତେଣୁ ଏହି ସମୟକୁ ଆମକୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ । ଯାତ୍ରୀ ଓ ମାଲ ପରିବହନ ଉପରେ ତଦାରଖ କରିବେ । ଯାତାୟତ କରୁଥିବା ରାସ୍ତାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମ, ଓଆରଏସ୍, ପିଇବା ପାଣିର ବ୍ୟବସ୍ଥା କରାଯାଇଛି ।
ସେହିପରି ସ୍କୁଲ ଛୁଟି ପାଇଁ ଗଣଶିକ୍ଷା ବିଭାଗ ସହ ରାଜସ୍ୱ ବିଭାଗ କଥା ହୋଇସାରିଛି । ଯେଉଁଠି ତାତି ବଢୁଛି , ସେଠାରେ ସ୍କୁଲ ଛୁଟି ଘୋଷଣା କରିବାର କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି । ଅଂଶୁଘାତ ମୃତ୍ୟୁ ପାଇଁ କ୍ଷତିପୂରଣ ଦିଆଯାଉଛି । ରିପୋର୍ଟ ପାଇବାର ୨୪ ଘଣ୍ଟା ମଧ୍ୟରେ ପଇସା ମିଳିବ । ହିଟ୍ଓ୍ୱେଭ୍ ଥିବା ଜାଗାରେ କୌଣସି ଗାଡ଼ି ଚାଲିଲେ କିମ୍ବା ଏସି ନଥିବା ଗାଡ଼ିରେ କାହାର ଅସୁବିଧା ହେଲେ ମାଲିକ ଦାୟୀ ରହିବେ ।
ଆଗକୁ ଆହୁରି ତାତି ବଢିବ । ଦିନକରେ ୨ରୁ ୩ ଡିଗ୍ରୀ ଯାଏ ବଢ଼ି ଯାଇପାରେ । ସବୁଠୁ ଅଧିକ ଜଳିବ ପଶ୍ଚିମ ଓଡ଼ିଶା । ରାତି ବେଳା ବି ଛଟପଟ କରିବ ଗରମ। ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଅସହ୍ୟ ହେବ। ଏଭଳି ସତର୍କ କରାଇଛି ପାଣିପାଗ ବିଭାଗ।



