ବରିଷ୍ଠ ଆଇଏଏସ ସ୍ତରରେ ଅଦଳ ବଦଳ
ଭୁବନେଶ୍ୱର : ବରିଷ୍ଠ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ । ସାଧାରଣ ପ୍ରଶାସନ ବିଭାଗର ନିର୍ଦେଶନାମା ଅନୁଯାୟୀ, ଅତିରିକ୍ତ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ ମନୀଷ କୁମାର ଅଗ୍ରୱାଲଙ୍କୁ ଓଡ଼ିଶା ସମବାୟ ସମିତି ସମୂହର ନିବନ୍ଧକ ଭାବେ ନିଯୁକ୍ତ କରାଯାଇଛି । ଏହାସହ ପ୍ରଶାସକ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଷ୍ଟାର୍ଟ ଅଫ୍ ଓଡ଼ିଶାର ସିଇଓ ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ଗୁରୁବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେହିପରି ବରିଷ୍ଠ ଆଇଏଏସ୍ ସିଦ୍ଧାର୍ଥ ଦାସଙ୍କୁ ମତ୍ସ୍ୟ ସଂପଦ ବିଭାଗର ନିର୍ଦ୍ଦେଶକ । ମଧୁସ୍ମିତା ସାହୁଙ୍କୁ ଶିକ୍ଷକ ଶିକ୍ଷା ଓ ତାଲିମ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିବା ବେଳେ ଉପମା କାଲୋଙ୍କୁ ସମ୍ବଲପୁର ଆରଡିସି(ଏନଡି) ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।
ଲିଲି କୁମାରୀ ସାହୁ ପବ୍ଲିକ ଏଣ୍ଟରପ୍ରାଇଜର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ ହସ୍ତତନ୍ତ ଓ ବୟନଶିଳ୍ପର ନିର୍ଦ୍ଦେଶକ ହୋଇଛନ୍ତି ସୋମେଶ ଉପାଧ୍ୟାୟ । ମାଲକାନଗିରି ଜିଲ୍ଲାପାଳ ଭାବେ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ବଣେଇ ଉପଜିଲ୍ଲାପାଳ ଆଇଏଏସ ଅକ୍ଷୟ ପିଲ୍ଲେଙ୍କୁ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ବ ମିଳିଛି ।
ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁଯାୟୀ, ଅକ୍ଷୟ ପିଲ୍ଲେଙ୍କୁ ଜଗତସିଂହପୁର ଜିଲ୍ଲାରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳ ଆଇଏଏସ୍ ଅରୁଗୁଳା ସ୍ନେହାଙ୍କୁ ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ମିଳିଛି । ତାଳଚେର ସବ୍-କଲେକ୍ଟର ତଥା ୨୦୨୨ ବ୍ୟାଚର ଆଇଏଏସ୍ ସମୀର କୁମାର ଜେନାଙ୍କୁ ଗଞ୍ଜାମ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛନ୍ତି । ରାଇରଙ୍ଗପୁର ଉପ-ଜିଲ୍ଲାପାଳ ଆଇଏଏସ୍ ସୌମ୍ୟ ରଞ୍ଜନ ପ୍ରଧାନଙ୍କୁ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ମିଳୁଛି ।



