ବିଶିଷ୍ଟ ସ୍ନାୟୁ ଶଲ୍ୟ ଚିକିତ୍ସକ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ
ଭୁବନେଶ୍ୱର : ପରଲୋକରେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର। ଦିଲ୍ଲୀ ଏମ୍ସ ରେ ଚିକିତ୍ସାଧୀନ ଅବସ୍ଥାରେ ଅଶୋକ ମହାପାତ୍ରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା । ମସ୍ତିସ୍କ କର୍କଟ ରୋଗରେ ପୀଡିତ ହୋଇ ସେପ୍ଟେମ୍ବର ୨୭ ତାରିଖରୁ ସେ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିଲେ। ବରିଷ୍ଠ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ଆଶିଷ ସୁରୀଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା।
ଡକ୍ଟର ମହାପାତ୍ରଙ୍କ ଜୀବନର ସବୁଠାରୁ ବଡ଼ ସଫଳତା ମଧ୍ୟରୁ ଗୋଟିଏ ହେଉଛି ୨୦୧୭ ମସିହାରେ ଜଗା- କାଳିଆଙ୍କ ଐତିହାସିକ ଅପରେସନ୍ । ଡାକ୍ତର ମହାପାତ୍ର ୨୦୧୭ରେ କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଯୋଡ଼ା ମୁଣ୍ଡ ଶିଶୁ ଜଗା- କାଳିଆଙ୍କ ସଫଳ ଅସ୍ତ୍ରୋପଚାର କରି ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିଲେ। ନୂଆଦିଲ୍ଲୀ AIIMSରେ କରାଯାଇଥିବା ଏହି ଜଟିଳ ପ୍ରକ୍ରିୟା ଭାରତରେ ଏହି ପ୍ରକାରର ପ୍ରଥମ ସଫଳ ଅସ୍ତ୍ରୋପଚାର ଥିଲା ଏବଂ ପରେ ଲିମକା ବୁକ୍ ଅଫ୍ ରେକର୍ଡସରେ ସ୍ଥାନିତ ହୋଇଥିଲା ।
୧୯୫୨ ମସିହାରେ ପୁରୀ ବୀରଗୋବିନ୍ଦପୁରରେ ଜନ୍ମ ଗ୍ରହଣ କରିଥିଲେ ଡକ୍ଟର ଅଶୋକ ମହାପାତ୍ର । ୧୯୭୫ ମସିହାରେ ବ୍ରହ୍ମପୁରର ଏମକେସିଜି (MKCG) ମେଡିକାଲ କଲେଜରୁ ଏମବିବିଏସ (MBBS) ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ନୂଆଦିଲ୍ଲୀ AIIMSରେ ଉଚ୍ଚଶିକ୍ଷା ଗ୍ରହଣ କରି ୧୯୭୯ରେ ଏମଏସ୍ ଏବଂ ୧୯୮୨ରେ ସ୍ନାୟୁ ଶଲ୍ୟ ଚିକିତ୍ସାରେ ଏମ.ସିଏଚ୍ (M.Ch.) ଡିଗ୍ରୀ ହାସଲ କରିଥିଲେ। ୪୦ ବର୍ଷରୁ ଅଧିକ ସମୟ ଧରି ଏମ୍ସ ନୂଆଦିଲ୍ଲୀ ସହ ଜଡ଼ିତ ରହି ସେ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ, ନ୍ୟୁରୋସାଇନ୍ସ ସେଣ୍ଟରର ମୁଖ୍ୟ ଏବଂ ଗବେଷଣା ଡିନ୍ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଫଳତାର ସହ ତୁଲାଇଛନ୍ତି।। ସେଠାରୁ ଏମ୍ବିବିଏସ ସମ୍ପୂର୍ଣ୍ଣ କରିବା ପରେ ଏମ୍ସ, ନୂଆଦିଲ୍ଲୀରୁ ନ୍ୟୁରୋ ସର୍ଜରିରେ ଏମ୍ଏସ୍ ଓ ଏମ୍ସିଏଚ୍ କରିଥିଲେ।
୧୯୮୩ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଏମ୍ସରେ ନ୍ୟୁରୋ ସର୍ଜରିର ଜଣେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ଦିଲ୍ଲୀ ଏମ୍ସରେ ପ୍ରାୟ ୪୨ ବର୍ଷ ଅତିବାହିତ କରିବା ପରେ ରିସର୍ଚ୍ଚ ଡିନ୍ ଭାବେ ଅବସର ଗ୍ରହଣ କରିଥିଲେ। ସେହିପରି ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଭୁବନେଶ୍ବର ଏମସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ ଡାକ୍ତର ମହାପାତ୍ର। ନିଜର କାର୍ଯ୍ୟକାଳ ଭିତରେ ସେ ୮୦ଟି ଗବେଷଣାପତ୍ର ପ୍ରକାଶ କରିଛନ୍ତି। ୧୨ରୁ ଅଧିକ ପିଏଚ୍ଡି ଛାତ୍ରଙ୍କୁ ମାର୍ଗଦର୍ଶନ କରିଥିଲେ । ୧୯୯୮-୨୦୦୮ ମସିହା ମଧ୍ୟରେ ଦେଶରେ ତୃତୀୟ ସର୍ବୋଚ୍ଚ ଚିକିତ୍ସା ପ୍ରକାଶନ ଓ ଏମ୍ସରେ ସର୍ବାଧିକ ସଂଖ୍ୟକ ପ୍ରକାଶନ ତାଙ୍କର ନାଁରେ ରହିଥିଲା। ନୂଆଦିଲ୍ଲୀ, ଏମ୍ସରେ ଥିବା ସମୟରେ ୨୦୧୭ ମସିହାରେ ଓଡ଼ିଶାର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଜଟିଳ ଅସ୍ତ୍ରୋପଚାର ଜରିଆରେ ଅଲଗା କରିବାରେ ଡାକ୍ତର ମହାପାତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥିପାଇଁ ୨୦୨୦ ମସିହା ଲିମକା ବୁକ୍ ଅପ୍ ରେକର୍ଡରେ ତାଙ୍କୁ ସ୍ଥାନ ମିଳିଥିଲା । ସେହିପରି ଡାକ୍ତର ମହାପାତ୍ର ଭୁବନେଶ୍ୱର ଏମସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ । ୨୦୧୨ ରୁ ୨୦୧୬ ଅବଧି ମଧ୍ୟରେ ଏମବିବିଏସ, ବିଏସସି ନର୍ସିଂ ଅନର୍ସ, ପିଜି ଓ ଡିଏମ୍, ଏମଚିଏଚ୍ ଆରମ୍ଭ କରାଯାଇଥିଲା। ୨୦୧୫ ମସିହାରେ ଏମ୍ସ ଭୁବନେଶ୍ୱରରେ ବିଏସ୍ସି ଅନର୍ସ ମେଡିକାଲ ଟେକ୍ନୋଲୋଜି ମଧ୍ୟ ଆରମ୍ଭ ହୋଇଥିଲେ। ଦେଶରେ ଶିଶୁରୋଗ ନ୍ୟୁରୋ ସର୍ଜରି, ନ୍ୟୁରୋ ଟ୍ରମା ଓ ସ୍କଲ୍ ବେସ ସର୍ଜନ ସୋସାଇଟି ଓ ପେରିଫେରାଲ ନର୍ଭ ସର୍ଜରୀ ବିକାଶରେ ତାଙ୍କର ବହୁତ ବଡ଼ ଯୋଗଦାନ ରହିଥିଲା । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅସାଧାରଣ ସଫଳତା ପାଇଁ କେନ୍ଦ୍ର ସରକାର ଗତବର୍ଷ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ଡାକ୍ତର ଅଶୋକ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଜେଡି ସଂସଦୀୟ ଦଳ ନେତା ମାନସ ରଞ୍ଜନ ମଙ୍ଗରାଜ । ମେଡିକାଲ ବିଜ୍ଞାନ, ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ଡାକ୍ତର ମହାପାତ୍ରଙ୍କ ଅବଦାନ ବେଶ ଅତୁଳନୀୟ ବୋଲି କହିଛନ୍ତି ମାନସ ମଙ୍ଗରାଜ ।




