ରେଙ୍ଗାଲି ଶ୍ୟାମ୍ ମେଟାଲିକ୍ସ ସିଲ୍
ସମ୍ବଲପୁର : ଶ୍ୟାମ୍ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ସିଲ୍ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ କାରଖାନାକୁ ସିଲ୍ କଲା ପ୍ରଶାସନ । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB)ର ନିର୍ଦ୍ଦେଶ କ୍ରମେ ଏହି ସିଲ୍ କରାଯାଇଛି । ସୋମବାର ସକାଳେ ଏହାକୁ ସିଲ କରାଯାଇଛି । କେବଳ ଅଫିସ କାର୍ଯ୍ୟ ଚାଲୁ ରହିବ ।
ସୋମବାର ସକାଳୁ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ, ସମ୍ବଲପୁରର ଅଧିକାରୀ ଓ କର୍ମଚାରୀଙ୍କ ସହିତ ରେଙ୍ଗାଲି ତହସିଲଦାର, ଅତିରିକ୍ତ ଏସପି, ସଦର ଏସଡିପିଓ ଏବଂ ବ୍ଯାପକ ପୋଲିସ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଉକ୍ତ ଶିଳ୍ପାନୁଷ୍ଠାନକୁ ସିଲ୍ କରାଯାଇଥିବା ସୂଚନା ମିଳିଛି । ପରିବେଶ ସୁରକ୍ଷା ଆଇନ ୧୯୮୬ର ଧାରା ୫ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ କମ୍ପାନୀର ବାରମ୍ବାର ନିୟମ ଉଲ୍ଲଂଘନ ଏହାର ମୁଖ୍ୟ କାରଣ ସାଜିଛି ।
ସୂଚନା ଅନୁଯାୟୀ , ଶ୍ୟାମ ମେଟାଲିକ୍ସ ବିରୋଧରେ ବାୟୁ ଓ ପାଣି ପ୍ରଦୂଷଣ କରୁଥିବାର ଅଭିଯୋଗ ଆସିଥିଲା । ବିନା ଅନୁମତିରେ ପାଉଁଶ ପାହାଡ଼ ସୃଷ୍ଟି କରୁଥିବାର ଅଭିଯୋଗ ମଧ୍ୟ ରହିଛି । ଏହା ସହ ଜଳ ଭଣ୍ଡାର ଜମି କବଜା କରିଥିବା ଅଭିଯୋଗ ରହିଛି । ଯାହାକୁ ନେଇ ଗତ ୩୦ ତାରିଖରୁ ପ୍ଲାଣ୍ଟ ବନ୍ଦ କରିବା ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଥିଲା । ତାପରେ ବି କମ୍ପାନୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଗତ ଅଗଷ୍ଟ ୨୦୨୪ରେ କୋଲକାତା ଆଞ୍ଚଳିକ ନିର୍ଦ୍ଦେଶାଳୟର ଏକ ଟିମ୍ ଦ୍ୱାରା ହୋଇଥିବା ଯାଞ୍ଚ ସମୟରେ ପ୍ଲାଣ୍ଟରୁ ନିର୍ଗତ ହେଉଥିବା ପ୍ରଦୂଷଣର ମାତ୍ରା ନିର୍ଦ୍ଧାରିତ ମାନଦଣ୍ଡଠାରୁ ଯଥେଷ୍ଟ ଅଧିକ ଥିବା ଜଣାପଡିଥିଲା ।



