ଡାକ୍ତରୀ ପ୍ରେସକ୍ରିପସନ ନଥିଲେ କଫ ସିରଫ ମନା
ଭୁବନେଶ୍ୱର : ଡାକ୍ତରଙ୍କ ବିନା ପ୍ରେସକ୍ରିପସନରେ ବିକ୍ରି ହୋଇପାରିବ ନାହିଁ କଫ ସିରଫ । ଏଣିକି ମେଡିକାଲ ଷ୍ଟୋରରୁ କେହି ମନଇଛା କଫ ସିରଫ କିଣିପାରିବେନି । କଫ ସିରଫକୁ ଏବେ ନିଶା ଭାବେ ବ୍ୟବହାର କରୁଛନ୍ତି ନିଶାଡି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି । ଜୁନ୍ ୯ ତାରିଖରେ ଜାରି ହୋଇଥିବା ଏହି ବିଜ୍ଞପ୍ତିରେ, ସରକାର କହିଛନ୍ତି ଯେ, ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା କଫ ସିରପ୍ ସମେତ ସମସ୍ତ ପ୍ରକାରର ସିରପ୍ ଆଉ କିଣି ହେବ ନାହିଁ । ଡ୍ରଗ୍ସ ରୁଲ୍ସ -୧୯୪୫ର ସଂଶୋଧନ କରାଯାଇଛି । ସିରଫ ଆଧାରିତ ଔଷଧ ଆଉ OTC ଶ୍ରେଣୀରେ ରହିବ ନାହିଁ । ତେବେ କାଶ ପାଇଁ ବ୍ୟବହୃତ ଲଜେଞ୍ଜ୍, ବଟିକା କିମ୍ବା ଟାବଲେଟ୍ ଏହି ନିୟମରୁ ବାଦ୍ ପଡ଼ିଛନ୍ତି । ନୂଆ ପରିବର୍ତ୍ତନ ପରେ କଫ୍ ସିରପ୍ ବିକ୍ରି ଏବଂ ବିତରଣ କେବଳ ଲାଇସେନ୍ସ ପ୍ରାପ୍ତ ମେଡିକାଲ ଷ୍ଟୋର କିମ୍ବା ଫାର୍ମାସୀ ଜରିଆରେ କରାଯାଇପାରିବ । ଏହି ନିୟମ ଔଷଧ ଏବଂ ପ୍ରସାଧନ ସାମଗ୍ରୀ ଅଧିନିୟମ ୧୯୪୦ ଅଧିନରେ ଲାଗୁ ହେବ ।
ସୂଚନାନୁସାରେ, ଅନେକ ସମୟରେ ଦେଶର ବିଭିନ୍ନ ସ୍ଥାନରୁ ବିଷାକ୍ତ କଫ ସିରପ ଯୋଗୁଁ ଶିଶୁ ମୃତ୍ୟୁ ଘଟଣା ମାନ ସାମ୍ନାକୁ ଆସିଛି । ବିଷାକ୍ତ କଫ୍ ସିରପ ସେବନ ଯୋଗୁଁ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରେ ୨୨ ଜଣ ଶିଶୁଙ୍କ ମୃତ୍ୟୁ ହେବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ପୂର୍ବରୁ ମଧ୍ୟ ଅନେକ ସିରପରେ ‘ଡେକ୍ସଟ୍ରୋମେଥୋର୍ଫାନ୍’ ଭଳି ଉପାଦାନ ଥାଏ, ଯାହା ଛୋଟ ଶିଶୁଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ । ପ୍ରେସକ୍ରିପସନ୍ ବାଧ୍ୟତାମୂଳକ ହେଲେ, ଡାକ୍ତରଙ୍କ ପରାମର୍ଶ ବିନା ଏଭଳି ଔଷଧ ଶିଶୁମାନଙ୍କୁ ଦିଆଯିବ ନାହିଁ ।




