ରିଲ୍ସ ନିଶା ,ନଦୀକୁ ଖସି ଯୁବକ ନିଖୋଜ

ରିଲ୍ସ ନିଶା ,ନଦୀକୁ ଖସି ଯୁବକ ନିଖୋଜ
Samaya Live News Picture
Published On

ଅନୁଗୁଳ : ରିଲ୍ସ ନିଶାରେ ମସଗୁଲ ଯୁବ ପିଢ଼ି । ରିଲ୍ସ ପାଇଁ ବାରମ୍ବାର ଘଟୁଛି ଅଘଟଣ । ତଥାପି ସେଥିପ୍ରତି ନାହିଁ ନିଘା । ସୋସିଆଲ ମିଡିଆ ପାଇଁ ରିଲ୍‌ ତିଆରି କରିବା ବେଳେ ଭାରସାମ୍ୟ ହରାଇ ରେଳ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଖସି ପଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଜଣକ ହେଉଛନ୍ତି ସମଲ ଥାନା ଅନ୍ତର୍ଗତ ବିଲିଣ୍ଡା ଗ୍ରାମର ଶୁଭ୍ରାଂଶୁ ପ୍ରଧାନ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରି ଥିବାବେଳେ ଯୁବକଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ଓ ପୁଲିସ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଶୁଭ୍ରାଂଶୁ ତାଙ୍କର ଦୁଇ ଜଣ ସାଙ୍ଗଙ୍କ ସହ ବ୍ରାହ୍ମଣୀ ନଦୀ ଉପରେ ଥିବା ରେଳ ସେତୁକୁ ରିଲ୍‌ ଭିଡିଓ ସୁଟିଂ କରିବା ପାଇଁ ଯାଇଥିଲେ । ଭିଡିଓ ସୁଟିଂ ଚାଲିଥିବା ବେଳେ ସେ ହଠାତ୍ ଭାରସାମ୍ୟ ହରାଇ ସେତୁ ଉପରୁ ସିଧା ନଦୀକୁ ଖସି ପଡ଼ିଥିଲେ ।

ଘଟଣା ଦେଖି ସାଙ୍ଗମାନେ ଚିତ୍କାର କରି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ପରେ କଣିହାଁ ଅଗ୍ନିଶମ ବାହିନୀ ଓ ସମଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଦୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ।

ଦୀର୍ଘ ସମୟ ଧରି ନଦୀରେ ଖୋଜାଖୋଜି ଚାଲିଥିଲେ ମଧ୍ୟ ଶୁଭ୍ରାଂଶୁଙ୍କ କୌଣସି ସନ୍ଧାନ ମିଳିନାହିଁ । ସୋମବାର ମଧ୍ୟ ଉଦ୍ଧାରକାରୀ ଦଳ ନଦୀର ବିଭିନ୍ନ ସ୍ଥାନରେ ତଲାସି ଜାରି ରଖିଛନ୍ତି । 

Tags: