ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ପାଇଁ ରେଡ ୱାର୍ଣ୍ଣିଂ
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା 'ଅକ୍ଭାନ୍' କୁ ନେଇ ଓଡିଶା କୁ ରେଡ ୱାର୍ଣ୍ଣିଂ । ୧୯/୨୦ ତାରିଖରେ ରାଜ୍ୟରେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ (IMD) ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ସାମୁଦ୍ରିକ ଝଡ଼ ବର୍ତ୍ତମାନ ଏକ ଭୀଷଣ ବାତ୍ୟା ରୂପ ନେଇସାରିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ନଭେମ୍ବର ୧୯ ରାତି କିମ୍ବା ୨୦ ତାରିଖ ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ତେଣୁ ନଭେମ୍ବର ୧୮ ତାରିଖରୁ ୨୧ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ନଭେମ୍ବର ୧୯ ଏବଂ ୨୦ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା (୨୦ ସେମିରୁ ଅଧିକ) ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ସେହିପରି ନଭେମ୍ବର ୨୧ ତାରିଖରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ। ଗଞ୍ଜାମ, ଗଜପତି, ପୁରୀ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ କନ୍ଧମାଳ ଜିଲ୍ଲାରେ ଏହାର ସର୍ବାଧିକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ନଭେମ୍ବର ୧୯ରୁ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବା ସହ ଝଟକା ପବନ ୭୦ କିମି ପର୍ଯ୍ୟନ୍ତ ଛୁଇଁପାରେ ।
ଏହି ସମୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି ଓ କୋରାପୁଟ ଭଳି ୬ଟି ଜିଲ୍ଲାରେ ଭୂସ୍ଖଳନ ଆଶଙ୍କା ଥିବାରୁ ପାହାଡ଼ିଆ ଓ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ୭୪ଟି ଉଦ୍ଧାରକାରୀ ଦଳ ମୁତୟନ କରାଯିବା ସହ ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୨୧ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।




