ପୁରୀ ବେଳାଭୂମିରେ ଲାଗିଲା ନାଲି ପତାକା

ପୁରୀ ବେଳାଭୂମିରେ ଲାଗିଲା ନାଲି ପତାକା
Samaya Live News Picture
Published On

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା 'ଅକଵାନ' କୁ ନେଇ ସଜାଗ ଅଛନ୍ତି ରାଜ୍ୟ ସରକାର । ସାମୁଦ୍ରିକ ଝଡ଼ ‘ଅକଭାନ’ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବାରୁ ପୁରୀ ବେଳାଭୂମିରେ ନାଲି ପତାକା ଲଗାଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ରକୂଳକୁ ପର୍ଯ୍ୟଟକଙ୍କ ପ୍ରବେଶ, ସ୍ନାନ ଓ ବୁଲାବୁଲି ଉପରେ କଟକଣା ଜାରି ହୋଇଛି । ଏଥିସହ ଡଙ୍ଗା ଓ ବୋଟ୍ ଚଳାଚଳକୁ ମଧ୍ୟ ବନ୍ଦ ରଖାଯାଇଛି ।

ବୁଧବାର ସନ୍ଧ୍ୟାରୁ ପୁରୀରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବାବେଳେ ସମୁଦ୍ର ଧୀରେ ଧୀରେ ଅଶାନ୍ତ ହେବାରେ ଲାଗିଛି। ପୁରୀ ସମୁଦ୍ରକୂଳ ସମେତ ଅସ୍ତରଙ୍ଗ, ଚନ୍ଦ୍ରଭାଗା ଓ ବାଲିହରଚଣ୍ଡୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଚଳପ୍ରଚଳ ଉପରେ କଟକଣା ଲଗାଯାଇଛି । ନିୟମ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଚେତାବନୀ ଦିଆଯାଇଛି।

ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର ଉପକୂଳବର୍ତ୍ତୀ ବ୍ଲକ୍‌ ଗୁଡ଼ିକର ବିଡିଓ ଓ ତହସିଲଦାରଙ୍କୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସବିଶେଷ ରିପୋର୍ଟ ଉପରେ ନଜର ରଖାଯାଇଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ଅଗ୍ନିଶମ କର୍ମଚାରୀ ଏବଂ ଲାଇଫଗାର୍ଡମାନେ ଏଟିଭି (ATV) ଗାଡ଼ି ଓ ମାଇକ୍ ଯୋଗେ ବେଳାଭୂମିରେ ପଇଁତରା ମାରି ଲୋକଙ୍କୁ ସତର୍କ କରାଉଛନ୍ତି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପୁରୀ ପ୍ରଶାସନ, ପୋଲିସ, ଅଗ୍ନିଶମ ବାହିନୀ, ଏନଡିଆରଏଫ୍ (NDRF) ଏବଂ ଓଡ୍ରାଫ୍ (ODRAF) ଟିମକୁ ସଜାଗ ରଖାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୨୧ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

Tags: