ଆଜି ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଆଜିର ଦିନଟି ହେବ ବେଶ୍ ଖାସ । ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ନିଯୁକ୍ତି ମେଳା । ଭୁବନେଶ୍ୱର ରେଳ ଅଡିଟୋରିୟମ୍ରେ ହେଉଛି ନିୟୁକ୍ତି ମେଳା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୯ଟି ବିଭାଗରେ ମୋଟ ୧୩୨୬ ଜଣ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜ ଦାୟିତ୍ୱକୁ ନିଷ୍ଠା, ସ୍ୱଚ୍ଛତା ଓ ଦକ୍ଷତାର ସହ ତୁଲାଇବାକୁ ପରାମର୍ଶ ଦେଇଥିଲେ । ସରକାରୀ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ସହ ରାଜ୍ୟବାସୀଙ୍କୁ ଉନ୍ନତମାନର ସେବା ଯୋଗାଇବାରେ ନବନିଯୁକ୍ତ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି କୁହାଯାଇଥିଲା ।
ସରକାରୀ ସୂଚନା ଅନୁସାରେ, ନିଯୁକ୍ତିରେ ସର୍ବାଧିକ ଅଂଶ ରହିଛି ଗୃହ ଓ ନଗର ଉନ୍ନୟନ ବିଭାଗର । ଏହି ବିଭାଗରେ ୩୬୪ ଜଣ,ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ୩୬୧ ଜଣ ଏବଂଶକ୍ତି ବିଭାଗରେ ୨୪୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିଛି ।
ସେହିପରି ,କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୮ ଜଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୧୧ ଜଣ ନିଯୁକ୍ତି ପାଇବେ। ଏହାବ୍ୟତୀତ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୮୬ ଜଣ, କ୍ରୀଡ଼ା ଓ ଯୁବସେବା ବିଭାଗରେ ୨୬ ଜଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୦ ଜଣ ଏବଂ ଅବକାରୀ ବିଭାଗରେ ୧୦ ଜଣ ନିଯୁକ୍ତି ପାଇଛନ୍ତି ।
ନିଯୁକ୍ତି ପତ୍ର ପାଇଥିବା ପ୍ରାର୍ଥୀମାନେ ଏହି ନୂତନ ସୁଯୋଗ ପାଇଁ ଖୁସି ପ୍ରକାଶ କରିବା ସହ ସରକାରୀ ସେବାରେ ଯୋଗଦେଇ ରାଜ୍ୟର ବିକାଶ ଓ ଜନସାଧାରଣଙ୍କ ସେବାରେ ନିଜର ଅବଦାନ ରଖିବାକୁ ଆଶା ପ୍ରକାଶ କରିଥିଲେ।
ଯୁବକ-ଯୁବତୀଙ୍କୁ ସରକାରୀ ଚାକିରିର ସୁଯୋଗ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଲଗାତାର ନିୟୁକ୍ତି ମେଳା ଆୟୋଜନ କରୁଛନ୍ତି। ଆଜିର ଏହି ମେଳା ମଧ୍ୟ ଓଡ଼ିଶାର ହଜାର ହଜାର ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଆଶା ଓ ପ୍ରେରଣା ସୃଷ୍ଟି କରିବ।




