ଜିତୁ ମୁଣ୍ଡାଙ୍କ ଘରେ ପହଁଚିଲା ଆରଡିସି ଟିମ
କେନ୍ଦୁଝର : ଟଙ୍କା ପାଇଁ ବ୍ୟାଙ୍କକୁ ଭଉଣୀର କଙ୍କାଳ ବୋହି ନେବା ଘଟଣା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆରଡିସି ତଦନ୍ତ ଆରମ୍ଭ ହୋଇଛି । ଗୁରୁବାର ସକାଳୁ ଆରଡିସି ଟିମ୍ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ମଲ୍ଲିପଶି ଗ୍ରାମରେ ପୀଡ଼ିତ ଜିତୁ ମୁଣ୍ଡାଙ୍କ ଘରେ ପହଁଚିଛନ୍ତି । ଆରଡିସି ଟିମରେ ସଂଗ୍ରାମ କେଶରୀ ମହାପାତ୍ର, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ଏବଂ ଉପଜିଲ୍ଲାପାଳ ଉମାଶଙ୍କର ଦଳେଇ । ଜିତୁ ମୁଣ୍ଡାଙ୍କ ସହିତ ଆଲୋଚନା ଅଧିକାରୀମାନେ ଆଲୋଚନା କରିଛନ୍ତି ।
ସୂଚନାନୁସାରେ, ଗତ ୨୭ତାରିଖ ସୋମବାର ଅପରାହ୍ନରେ ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଜିତୁ ମୁଣ୍ଡା(୫୦) ମଲ୍ଲିପଶିସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ମୃତ ଭଉଣୀ କଲରା ମୁଣ୍ଡାଙ୍କ ଟଙ୍କା ଆଣିବାକୁ ଯାଇଥିଲେ । ତେବେ ପ୍ରମାଣ ଆଣିବାକୁ କହି ବ୍ୟାଙ୍କ ଟଙ୍କା ଦେବାକୁ ମନା କରିଦେଇଥିଲା । ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ଜିତୁ ନିରାଶ ହେବା ପରେ ୩ମାସ ପୂର୍ବରୁ ମୃତ୍ୟୁ ବରଣ କରିଥିବା ଭଉଣୀର ଶବକୁ ଗାତ ଖୋଳି କଙ୍କାଳ ଉଠାଇ ନେଇଥିଲେ । ଯାହାକି ଅତ୍ୟନ୍ତ ହୃଦ ବିଦାରକ ଥିଲା । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହେବା ସହ ଘଟଣାକୁ ତୀବ୍ରନିନ୍ଦା କରାଯାଇଛି । ପରବର୍ତ୍ତୀ ସମୟରେ ଜିତୁ ମୁଣ୍ଡାଙ୍କୁ ରେଡ଼କ୍ରସ ସହାୟତା ସହ ତାଙ୍କର ସମସ୍ତ ଟଙ୍କା ହସ୍ତାନ୍ତର କରାଯାଇଛି ।



