ବିବାଦ ମଧ୍ୟରେ ବଦଳିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲ ଚିଫ ୱାର୍ଡେନ୍

ବିବାଦ ମଧ୍ୟରେ ବଦଳିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲ ଚିଫ ୱାର୍ଡେନ୍
Samaya Live News Picture
Published On

କଟକ : ରେଭେନ୍‌ସା ବିଶ୍ୱବିଦ୍ୟାଳୟ ହଷ୍ଟେଲ ବିବାଦ ଚର୍ଚ୍ଚା ଲାଗି ରହିଥିବା ବେଳେ ଆସିଛି ଆଉ ଏକ ଖବର । ରେଭେନ୍ସା ହଷ୍ଟେଲ୍ ଚିଫ୍‌ ଓ୍ୱାର୍ଡେନଙ୍କୁ ବଦଳି କରାଯାଇଛି । ସୁଦର୍ଶନ ମିଶ୍ରଙ୍କ ସ୍ଥାନରେ ପୂର୍ଣ୍ଣେନ୍ଦୁ ପାଢ଼ୀ ହୋଇଛନ୍ତି ନୂଆ ଚିଫ୍‌ ଓ୍ୱାର୍ଡେନ । ଏହା ସହ ୨ ଜଣ ଡେପୁଟି ଚିଫ୍‌ ଓ୍ୱାର୍ଡେନ ମଧ୍ୟ ବଦଳି ହୋଇଛନ୍ତି । ଦୀପ୍ତି ରାଉତ ଓ ଦ୍ୱିତୀକୃଷ୍ଣ ବେହେରା ହେଲେ ନୂଆ ଡେପୁଟି ଚିଫ୍‌ ଓ୍ୱାର୍ଡେନ । ଏନେଇ ବିଶ୍ଵବିଦ୍ୟାଳୟର କୁଳ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଇଷ୍ଟ ହଷ୍ଟେଲର ୱାର୍ଡେନଙ୍କ ବଦଳି ପାଇଁ ଅନ୍ତେବାସୀ ମାନେ ଦାବି କରିଥିଲେ ତାଙ୍କୁ ମଧ୍ୟ ବଦଳି କରାଯାଇଛି । ଇଷ୍ଟ ହଷ୍ଟେଲର ୱାର୍ଡେନ ଏବଂ ଡେପୁଟି ୱାର୍ଡେନଙ୍କୁ ବଦଳି କରିଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ । ୱାର୍ଡେନ ଶରତ ରାଉତଙ୍କ ସ୍ଥାନରେ ବାଣିଜ୍ୟ ବିଭାଗର ଅଧ୍ୟାପକ ଯଯାତି ନାୟକଙ୍କୁ ୱାର୍ଡେନ ଦାୟିତ୍ୱ ଦିଆଯାଇଥିବା ବେଳେ ଡେପୁଟି ୱାର୍ଡେନ ରବିବୁଲ ଅନସାରୀଙ୍କ ସ୍ଥାନରେ ମନସ୍ତତ୍ବ ବିଜ୍ଞାନ ବିଭାଗର ଅଧ୍ୟାପକ ରାଜା କିଶୋର ପୃଷ୍ଟିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

କଟକ ସଦର ବିଧ୍ୟାୟକ ପ୍ରକାଶ ସେଠୀ ଓ ପୂର୍ବତନ ଚିଫ ୱାର୍ଡେନ ସୁଦର୍ଶନ ମିଶ୍ରଙ୍କ ବିବାଦ ପରେ ବିଭିନ୍ନ ହଷ୍ଟେଲ ଦାୟିତ୍ୱରେ ଥିବା ମୁଖ୍ୟ ୱାର୍ଡେନ ଏବଂ ୱାର୍ଡେନ ମାନେ ଇସ୍ତଫା ଦେଇଥିଲେ । ବିଶ୍ଵବିଦ୍ୟାଳୟ ଅଧ୍ୟାପକ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇଥିଲେ । ୱାର୍ଡେନଙ୍କ ସମୂହ ଇସ୍ତଫାକୁ ନେଇ ହଷ୍ଟେଲରେ ଆଡ଼ମିସନ ପ୍ରକ୍ରିୟା ପୂରା ଠପ୍‌ ହୋଇଯାଇଥିଲା । ଏହାକୁ ଅତି ଗୁରୁତ୍ୱର ସହ ନେଇ କୁଳପତି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ସେପଟେ ରେଭେନ୍ସା କୁଳପତି କହିଛନ୍ତି ଯେ ବଦଳି ହେଉଛି ବିଶ୍ୱବିଦ୍ୟାଳୟର ଏକ ସ୍ୱାଭାବିକ ପ୍ରକ୍ରିୟା । ନୂଆ ଅଭିଜ୍ଞ ଅଧ୍ୟାପକଙ୍କୁ ହଷ୍ଟେଲ ଦାୟିତ୍ୱ ଦିଆଯାଇଛି । ଯେଉଁମାନେ ହଷ୍ଟେଲ ଦାୟିତ୍ୱରୁ ବଦଳିଲେ ସେମାନେ ଆଗକୁ ମଧ୍ୟ ରେଭେନସା ପାଇଁ କାର୍ଯ୍ୟ କରିବେ।

Tags: