ଆଜି ଖୋଲିବ ରତ୍ନଭଣ୍ଡାର, ପର୍ଯ୍ୟାୟ କ୍ରମେ ହେବ ଗଣତି ମଣତି
ଦିନ ୧୨ଟା ୦୯ରୁ ଅପରାହ୍ନ ଗୋଟାଏ ୪୫ ଭିତରେ ମାହେନ୍ଦ୍ର ବେଳା
ଭୁବନେଶ୍ବର : ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ହେବ । ଦୀର୍ଘ ୪୮ ବର୍ଷ ପରେ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ଚିହ୍ନଟ ହେବ । ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇସାରିଛି । ଦିନ ୧୨ଟା ୦୯ରୁ ଅପରାହ୍ନ ଗୋଟାଏ ୪୫ ଭିତରେ ରହିଛି ମାହେନ୍ଦ୍ର ବେଳା । ଗଣତିମଣତି ବେଳେ ଫଟୋଗ୍ରାଫି, ଭିଡିଓଗ୍ରାଫି ସହ ଥ୍ରୀ-ଡି ମ୍ୟାପିଂ କରାଯିବ । ଫଳରେ ଏଥିରେ ରହିବ ସ୍ୱଚ୍ଛତା । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏବଂ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ରତ୍ନଭଣ୍ଡାରର ବହୁ ପ୍ରତିକ୍ଷିତ ଗଣନା ଓ ଯାଞ୍ଚ ପାଇଁ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି । ଏଥିପାଇଁ ଗତକାଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପର୍ଯ୍ୟାୟକ୍ରମେ ଗଣତି ମଣତି ହେବ । ପ୍ରଥମେ ବାହାର ଭଣ୍ଡାରରେ ଥିବା ଚଳନ୍ତି ଅଳଙ୍କାର ଗଣତି ହେବ । ପରେ ଭିତର ଭଣ୍ଡାରର ଅଳଙ୍କାର ଗଣତି କରାଯିବ । ଶ୍ରୀମନ୍ଦିରର ଯେଉଁଭଳି ଭାବେ ନୀତିକାନ୍ତି ପ୍ରଭାବିତ ହେବନି, ସେନେଇ ଗୁରୁତ୍ବ ଦିଆଯାଇଛି । ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତିରେ କୌଣସି ବ୍ୟାଘାତ ସୃଷ୍ଟି କରାଯିବ ନାହିଁ । ପର୍ବପର୍ବାଣି କିମ୍ବା ଭିଡ଼ ସମୟରେ ଗଣତି କାର୍ଯ୍ୟ ବନ୍ଦ ରହିବ । ଗଣତି ମଣତି ପାଇଁ କଡ଼ା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାପାଳଙ୍କ ପାଖରେ ରତ୍ନଭଣ୍ଡାରର ଚାବି ରହିବ । ଗଣତି ସମୟରେ କେବଳ ଅନୁମୋଦିତ ବ୍ୟକ୍ତି ହିଁ ଭିତରକୁ ଯାଇପାରିବେ । ସାଧାରଣ ଶ୍ରଦ୍ଧାଳୁ ବ୍ୟାରିକେଡ୍ ବାହାରେ ରହିବେ ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପାଇଁ ସୁପରଭାଇଜିଂ ଟିମ ଓ ହାଣ୍ଡେଲିଂ ଟିମ ଭାବେ ଦୁଇଟି ଟିମ୍ ଗଠିତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁପରଭାଇଜିଂ ଟିମର ଅଧ୍ୟକ୍ଷ ରହିଥିବାବେଳେ ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ, ଜଣେ ସେବାୟତ ରହିଛନ୍ତି। ହାଣ୍ଡଲିଂ ଟିମରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ, ପାଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ , ତଢ଼ଉକରଣ,ଦେଉଳକରଣ,ଶ୍ରୀ ମନ୍ଦିର ବଣିଆ ସେବକ ,ଦୁଇ ଜଣ ସ୍ଵର୍ଣ୍ଣକାର,ଦୁଇ ଜଣ ରତ୍ନବିଶେଷଜ୍ଞ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ପ୍ରମୁଖ ସାମିଲ ରହିବେ।
୧୯୭୮ ମସିହା ତାଲିକା ସହ ବର୍ତ୍ତମାନ କେବଳ ଗଣତି ଓ ଯାଞ୍ଚ କରାଯିବ । ଅଳଙ୍କାରର ଆର୍ଥିକ ମୂଲ୍ୟ ନିର୍ଦ୍ଧାରଣ କରାଯିବ ନାହିଁ । ରତ୍ନଭଣ୍ଡାର କମିଟି, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ମିଳିତ ଭାବେ ଏ ସମସ୍ତ ପ୍ରକ୍ରିୟା ଉପରେ ନଜର ରଖିବେ।




