ଆଜି ଶ୍ରୀଜୀଉଙ୍କ ଖଡି ଲାଗି ଓ ବନକଲାଗି ନୀତି

ପୁରୀ: ଜୁନ ୨୭: ଆଜି ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ରଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ସହ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ କରାଯିବ । ଏହି ନୀତି ଅନୁସାରେ, ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ରୂପା ଥାଳିରେ ଆଣି ଗଜପତି ମହାରାଜାଙ୍କୁ ଅର୍ପଣ କରିବେ । ଏହାପରେ ସେବାୟତମାନେ ହିଙ୍ଗୁଳ, ହରିତାଳ, କେଶର, କସ୍ତୁରୀ, ଧଳା ଓ କଳା ରଙ୍ଗ […]

Samaya Live Picture
Published On

ପୁରୀ: ଜୁନ ୨୭: ଆଜି ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ରଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ସହ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ କରାଯିବ । ଏହି ନୀତି ଅନୁସାରେ, ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ରୂପା ଥାଳିରେ ଆଣି ଗଜପତି ମହାରାଜାଙ୍କୁ ଅର୍ପଣ କରିବେ । ଏହାପରେ ସେବାୟତମାନେ ହିଙ୍ଗୁଳ, ହରିତାଳ, କେଶର, କସ୍ତୁରୀ, ଧଳା ଓ କଳା ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିବେ । ଆଜି ଓ ଆସନ୍ତାକାଲି ପର୍ଯ୍ୟନ୍ତ ଏହି ବନକଲାଗି ନୀତି ଚାଲିବ । ଏହାପରେ ବୁଧବାର ମହାପ୍ରଭୁ ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ । ଆଉ ମାତ୍ର ତିନିଦିନ ପରେ ରଥଯାତ୍ରା ଅନୁଷ୍ଠିତ ହେବ । ପୁରୀ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେଚାଲିଛି । ଏହାସହ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚଛି । ତିନିରଥର ୨୪ ଗୋଟି ନାଟଗୋଡ଼ ସମସ୍ତ ଦୁଆର ବେଢାରେ ସଂଯୁକ୍ତ ହୋଇଛି । ତିନିରଥର ବିଜେ ଚକା ନିର୍ମାଣ ଶେଷ ହୋଇଛି । ପ୍ରଭାରେ ରୂପ ଖୋଦେଇ ଜାରି ରହିଥିବା ବେଳେ କନ୍ୟା ପଟାରେ ଚିତ୍ର ଅଙ୍କନ ଚାଲିଛି । କମାରଶାଳରେ ଘୋଡା ଓ ସାରଥିଙ୍କ ପାଇଁ ବାଗିଆ କଣ୍ଟା ଏବଂ ଶୁଆକଣ୍ଟା ନିର୍ମାଣ ହେଉଛି । ଏହା ବ୍ୟତୀତ ରଥ କନାରେ ଲେସ ଫିଟିଙ୍ଗ ସହ ଫୁଲ ପକା କାର୍ଯ୍ୟ ଚାଲିଛି । ସେହିପରି ଗତକାଲି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି ଅବସରରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯାଇଛି । ଅଣସର ତ୍ରୟୋଦଶୀରେ ଘଣା ଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହୋଇଛି । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉଙ୍କୁ ଘଣା ଲାଗି ପରେ ଖଳି ଲାଗି ଏବଂ ତାପରେ ଖଡ଼ି ଲାଗି ହୋଇଥିବାବେଳେ ସନ୍ଧ୍ୟାରେ ଘଣ୍ଟ, ଛତା, କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରିଥିଲେ ।