ବାହୁଡ଼ିବେ ଚତୁର୍ଦ୍ଧା ମୂର୍ତ୍ତି ,ଆଜି ମହାପ୍ରଭୁଙ୍କ ରଥ ନେବ ଦକ୍ଷିଣ ମୋଡ଼
ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ନବ ଦିନାତ୍ମକ ମାଉସୀବାଡ଼ି ଯାତ୍ରା ସାରି ଏଣିକି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ । ଆଜି ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ଼ ହେବ ରଥ । ପ୍ରଥମେ ତାଳଧ୍ୱଜ ରଥ ଦକ୍ଷିଣ ମୋଡ଼ ପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ହେବ । ଗତକାଲି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ଼ ହୋଇଥିଲା । ତେବେ ପ୍ରବଳ ବର୍ଷା ଯୋଗୁଁ ଅଧାରେ ବନ୍ଦ ରହିଥିଲା ରଥ ଦକ୍ଷିଣ ମୋଡ଼ । ଆଜ୍ଞାମାଳ ଆସିବା ପରେ ରଥ ଦକ୍ଷିଣ ମୋଡ଼ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଏହାକୁ ଅଧାରେ ବନ୍ଦ ରଖିବାକୁ ପଡ଼ିଥିଲା ।
ସୂଚନା ଅନୁସାରେ, ଗତକାଲି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ତାଳଧ୍ବଜ ରଥର ଦକ୍ଷିଣମୋଡ଼ ସ୍ଥଗିତ ରଖାଯାଇଥିଲା । ସେହିପରି ନନ୍ଦିଘୋଷ ରଥର ମଧ୍ୟ ଦକ୍ଷିଣ ମୋଡ଼ ହୋଇପାରିନଥିଲା । ଆଜି ଦକ୍ଷିଣମୋଡ଼ କରାଯିବ । ଶୁକ୍ରବାର ବାହୁଡାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ, ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆଜି ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ । ଏହି ଅବସରରେ ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହେବ । ବାହୁଡା଼ ଯାତ୍ରା ଓ ସୁନାବେଶରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି ।




