ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ

ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଭଙ୍ଗା ଆରମ୍ଭ

ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ
Samaya Live News Picture
Published On

ପୁରୀ : ସରିଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ଯାତ୍ରା । ୩ ରଥରେ ବିଜେ ହୋଇ ମହାପ୍ରଭୁ ମାଉସୀ ଘରକୁ ଯାଇଥାନ୍ତି । ସେଠାରେ ନବଦିନାତ୍ମକ ମାନବୀୟ ଲୀଳା ସାରି ପୁଣି ବାହୁଡା ଯାତ୍ରାରେ ଶ୍ରୀମନ୍ଦିର ଫେରିଥାନ୍ତି । ମହାପ୍ରଭୁଙ୍କ ଯାତ୍ରା ପାଇଁ ଭୋଇ ସେବକଙ୍କ ଦ୍ୱାରା ରଥ ପ୍ରସ୍ତୁତ ହୋଇଥାଏ । ରଥ ନିର୍ମାଣରେ ଯେପରି ସମୟ ଅନୁକୂଳ ହୋଇଥାଏ ସେପରି ରଥ ଖୋଲା ସମୟରେ ଅନୁକୂଳ କରାଯାଇଛି । ପୁରୀରେ ଆଜିଠୁ ଆରମ୍ଭ ହୋଇଛି ରଥଭଙ୍ଗା କାମ। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ରଥ ଭଙ୍ଗା କାର୍ଯ୍ୟ କରିଛନ୍ତି । ଭୋଇ ସର୍ଦ୍ଧାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଥିଲା ଭଙ୍ଗା କାମ । ଭୋଇ ସର୍ଦ୍ଦାର ରବି ଭୋଇ ମହାପ୍ରଭୁଙ୍କ ଲଡ଼ୁ ମାହାର୍ଦ୍ଦ ଦେଇ ଅନୁକୂଳ କରିଛନ୍ତି । ପାରାଭାଡି ଓ ପରେ ପରେ ଦ୍ୱାରବେଢା ଭଙ୍ଗା ପରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଖୋଲା ଯିବ। ଏହାପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ । ଏହା ପରେ ରଥର ସବୁ ଅଂଶକୁ ଭଙ୍ଗା ଯିବ। ତିନି ରଥ ସମ୍ପୂର୍ଣ ଭାଙ୍ଗିବା ପାଇଁ ୧୦ ରୁ ୧୨ଦିନ ସମୟ ଲାଗିଥାଏ। ପୂର୍ବରୁ ତିନି ରଥର ୨୭ପାଶ୍ୱର୍ ଦେବତା, ୧୨ଟି ଅଶ୍ୱ, ୩ ସାରଥି, ଠେକରା ବାଡ଼ ଆଦି ରଥାଂଶକୁ କାଢ଼ି ସାଇତା ଯାଇଛି ।

ରଥ ସମ୍ପୂର୍ଣ୍ଣ ଭଙ୍ଗାଯାଇ ସମସ୍ତ କାଠ ଶ୍ରୀମନ୍ଦିର ପ୍ରଶାସନର ଜିମା ଦିଆଯିବ । ଏହି କାଠ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ବ୍ୟବହାର କରାଯିବ । ଦେବୀ ସୁଭଦ୍ରାଙ୍କ ରଥରୁ ବାହାରୁଥିବା ଲୁହା କଣ୍ଟାକୁ ଫଳୁ ନଥିବା ଗଛରେ ବାଡେଇଲେ ଫଳ ଭରିଥାଏ ବୋଲି ବିଶ୍ୱାସ ରହୁଥିବାରୁ ଅନେକ ଭକ୍ତ ଏହି କଣ୍ଟା ସଂଗ୍ରହ କରିଥାନ୍ତି । ରଥଭଙ୍ଗା ସମୟରେ ରଥ ନିକଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।


 

Tags: