ଭିଜିଲାନ୍ସ ଜାଲରେ ରେଞ୍ଜର
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ରେଞ୍ଜର । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ । ରବିନ୍ଦ୍ରଙ୍କର କଟକ ଓ କେନ୍ଦ୍ରାପଡ଼ା ସମେତ ଏକକାଳୀନ ୪ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । କଟକର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ବ୍ୟାପକ ଚଢ଼ାଉ କରାଯାଉଛି । ଭିଜିଲାନ୍ସ ଟିମରେ ୫ ଜଣ ଡିଏସପି (DSP), ୯ ଜଣ ଇନ୍ସପେକ୍ଟର, ୫ ଜଣ ଏଏସଆଇ (ASI) ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି।
ରବୀନ୍ଦ୍ର ନାୟକଙ୍କର ସମ୍ପତ୍ତିର ଦସ୍ତାବିଜ, ବ୍ୟାଙ୍କ ଖାତା, ନଗଦ ଅର୍ଥ ଓ ସ୍ଥାବର-ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ କରାଯାଉଛି । ଚଢ଼ାଉବେଳେ କଟକର ବାରଙ୍ଗ ଅଞ୍ଚଳର ଗୋଡ଼ିସାହିରେ ଥିବା ଏକ ବିଶାଳ ଚାରି ମହଲା କୋଠା ଠାବ କରାଯାଇଛି । ଏହି କୋଠାର ମାଲିକାନା ଓ ନିର୍ମାଣରେ ବ୍ୟୟ ହୋଇଥିବା ଅର୍ଥର ଉତ୍ସ ନେଇ ଭିଜିଲାନ୍ସ ଅଧିକାରୀମାନେ ତଦନ୍ତ କରୁଛନ୍ତି । ସେହିପରି ବାଙ୍କୀ ସାହାଡ଼ାପଡ଼ାରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ତଲାସି ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ଆୟ ବର୍ହିଭୁତ ସମ୍ପତ୍ତିର ସବିଶେଷ ଜଣାପଡିବ ବୋଲି ସୂଚନା ମିଳିଛି ।




