ରେଳ ମନ୍ତ୍ରଣାଳୟର ଅନୁମୋଦନ, ବାଦାମପାହାଡ଼ ଠାରୁ ପୁରୀକୁ ଗଡିବ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍
ଭୁବନେଶ୍ୱର : ମୟୁରଭଞ୍ଜ ବାସୀଙ୍କୁ ରେଳ ମନ୍ତ୍ରଣାଳୟର ପୂଜା ଭେଟି । ବାଦାମପାହାଡ଼ ଠାରୁ ପୁରୀକୁ ଗଡିବ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଦୀର୍ଘ ଦିନର ଏହି ଦାବି ପୂରଣ ହେବାକୁ ଯାଉଛି । ଗତ ଦୁଇବର୍ଷ ହେବ, କେବଳ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମୟରେ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରାଯାଇଥିଲା । ରେଳ ମନ୍ତ୍ରଣାଳୟ ୧୮୪୧୧/୧୮୪୧୨ ପୁରୀ-ବାଦାମପାହାଡ଼ ଏକ୍ସପ୍ରେସ୍କୁ ଅନୁମୋଦନ କରିଛି ।
ରେଳ ବୋର୍ଡ ପକ୍ଷରୁ ୧୯ ଅକ୍ଟୋବର ୨୦୨୬ରେ ଜାରି ଚିଠି ନଂ ସିସି-୨୦୮/୨୦୨୬ ଏବଂ ୨୦୨୬/ସିଏଚ୍ଜି/୧୬/ ଡବ୍ଲୁସିଆର୍/୪୧- ପିଟିରେ ଏହା ସ୍ପଷ୍ଟ କରାଯାଇଛି। ପୂର୍ବରୁ କେବଳ ରଥଯାତ୍ରାରେ ଏହି ଟ୍ରେନ୍ ଚାଲୁଥିଲା। ରାଷ୍ଟ୍ରପତି ନିଜ ଜନ୍ମମାଟି ମୟୂରଭଞ୍ଜର ରେଳ ସଂଯୋଗକୁ ଗୁରୁତ୍ୱ ଦେଇ ଆସୁଥିଲେ । ପୂର୍ବତଟ ରେଳପଥର ପ୍ରସ୍ତାବ (୧୦.୭.୨୦୨୬)କୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ। ଶେଷରେ ତାଙ୍କ ଉଦ୍ୟମ ସଫଳ ହୋଇଛି ।
ଏହି ଟ୍ରେନଟି ୯ଟି କୋଚ ବିଶିଷ୍ଟ ଏଲ୍ଏଚ୍ବି ରେକ୍ ରହିବ ଏବଂ ଦୈନିକ ଚଳାଚଳ କରିବ । ଏହା ପୁରୀରୁ ରାତି ୧୧.୪୫ରେ ବାହାରି ରାଇରଙ୍ଗପୁରରେ ଅପରାହ୍ଣ ୧୨.୫୩ରେ ଓ ବାଦାମପାହାଡ଼ରେ ଅପରାହ୍ଣ ୧.୪୫ରେ ପହଞ୍ଚିବ । ସେହିପରି ବାଦାମପାହାଡ଼ରୁ ଅପରାହ୍ଣ ୪ଟାରେ ବାହାରି ରାଇରଙ୍ଗପୁର, ଟାଟାନଗର, କେନ୍ଦୁଝର ଦେଇ ପୁରୀରେ ସକାଳ ୬ଟାରେ ପହଞ୍ଚିବ। ରାଇରଙ୍ଗପୁର, ବାଦାମପାହାଡ଼, ଅଁଳାଯୋଡ଼ି, ଟାଟାନଗର, ଭୁବନେଶ୍ୱର, କଟକ ସମେତ ୧୯ଟି ଷ୍ଟେସନରେ ରହଣି ବ୍ୟବସ୍ଥା ଅଛି ।
ଏହି ରେଳ ସେବା ଫଳରେ ପର୍ଯ୍ୟଟନ, ବାଣିଜ୍ୟ ଓ ଆର୍ଥିକ ବିକାଶକୁ ନୂତନ ଦିଗ ମିଳିବା ସହିତ ,ଛାତ୍ରଛାତ୍ରୀ, ଚାକିରିଆ, ବ୍ୟବସାୟୀ,ସ୍ୱାସ୍ଥ୍ୟ ସେବା, ତୀର୍ଥଯାତ୍ରୀ ଓ ସାଧାରଣ ଯାତ୍ରୀମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।




