ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ରେଳ କର୍ମଚାରୀଙ୍କୁ ବହିଷ୍କାର ସହ ପେନସନ ବନ୍ଦ ନିର୍ଦେଶ

ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ରେଳ କର୍ମଚାରୀଙ୍କୁ ବହିଷ୍କାର ସହ ପେନସନ ବନ୍ଦ ନିର୍ଦେଶ
Samaya Live News Picture
Published On

ରାଉରକେଲା : ସଂରକ୍ଷିତ ରେଳ ଟିକଟ କରାଇଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା । ରେଳ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ଅଭିଯୁକ୍ତ କର୍ମଚାରୀଙ୍କୁ ତୁରନ୍ତ ବହିଷ୍କାର ସହ ଦରମା ବନ୍ଦ ନିର୍ଦେଶ ଦେଇଛନ୍ତି ଚକ୍ରଧରପୁର ରେଳ ମଣ୍ଡଳର ବରିଷ୍ଠ ବାଣିଜ୍ୟିକ ପ୍ରବନ୍ଧକ ଆଦିତ୍ୟ ଚୌଧୁରୀ । ଦୁଷ୍କର୍ମ ଅଭିଯୋଗରେ ଗିରଫ ରେଳ କର୍ମଚାରୀ କପିଳେଶ୍ବର ସିଂ(୫୪)ଙ୍କୁ ରେଳବାଇ କର୍ତ୍ତୃପକ୍ଷ ଚାକିରିରୁ ବହିଷ୍କାର କରିଛନ୍ତି । ଗତ ୩ତାରିଖ ବୁଧୁବାର ଦିନ ରାଉରକେଲା ରେଳ ଷ୍ଟେସନରେ ଘଟିଥିଲା ଏହି ଲଜ୍ଜାକର ଘଟଣା । ଅଭିଯୁକ୍ତ କପିଳେଶ୍ବରଙ୍କ ବିରୋଧରେ ରାଉରକେଲା ରେଳବାଇ ଥାନାରେ ଭାରତୀୟ ନ୍ୟାୟ ସଂହିତା ଧାରା ୬୪(୨) ଆଧାରରେ ମାମଲା ସଂଖ୍ୟା ୧୨୬/୨୦୨୬ ରୁଜୁ ହୋଇଛି । ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତରୀମାଇନା କରାଯିବା ପରେ ତାକୁ ଜେଲକୁ ପଠାଇ ଦିଆଯାଇଛି । ସେହିପରି, ଯୁବତୀଙ୍କ ଡାକ୍ତରୀମାଇନା କରାଯିବା ପରେ ତାଙ୍କୁ ୱାନ୍‌-ଷ୍ଟପ୍‌ ସେଣ୍ଟର୍‌ରେ ରଖାଯାଇଛି । ଏହି ଘଟଣାର ଅଧିକ ତଦନ୍ତ ଅବ୍ୟାହତ ଅଛି ବୋଲି ଜିଆରପି ସବ୍‌-ଇନ୍ସପେକ୍ଟର୍‌ କୈଳାସ ମୁଣ୍ଡା ସୂଚନା ଦେଇଛନ୍ତି । ଆସନ୍ତାକାଲି ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ ବୋଲି ଶ୍ରୀ ମୁଣ୍ଡା କହିଛନ୍ତି ।

ସୂଚନାଯୋଗ୍ୟ, ୩ତାରିଖ ସକାଳେ ନୂଆପଡ଼ା ଜିଲାର ଜଣେ ୨୦ ବର୍ଷୀୟ ଯୁବତୀ ଦୁଇ ଭାଇଙ୍କ ସହ  ବେଙ୍ଗାଳୁରୁ ଯିବା ପାଇଁ ରାଉରକେଲା ଆସିଥିଲେ । ସେମାନେ ଟିଟଲାଗଡ଼ରୁ ହାତିଆ-ଯଶବନ୍ତପୁର ଏକ୍ସପ୍ରେସରେ ଚଢ଼ିବାର କଥା ଥିଲା । ତେବେ ଭୁଲବଶତଃ, ସେମାନେ ଅନ୍ୟ ଏକ ଟ୍ରେନ୍ ଚଢ଼ି ସେହି ସନ୍ଧ୍ୟା ସୁଦ୍ଧା ହାତିଆରେ ପହଞ୍ଚିଥିଲେ । ଏ ସଂପର୍କରେ ଜାଣିବା ପରେ ସେମାନେ ଅନ୍ୟ ଏକ ଟ୍ରେନରେ ପୁଣି ରାଉରକେଲାକୁ ଫେରି ଆସିଥିଲେ । ସକାଳ ପ୍ରାୟ ୯ଟାରେ ଏଠାରେ ଓହ୍ଲାଇ ବେଙ୍ଗାଲୁରୁକୁ ସଂରକ୍ଷିତ ଟିକଟ କାଟିବା ପାଇଁ ଚେଷ୍ଟା କରୁଥିଲେ। ସେହି ସମୟରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା।

ଅପରପକ୍ଷେ, ରେଳ ଷ୍ଟେସନ ପରିସରରେ ରେଳବାଇ ସୁରକ୍ଷା ବଳ ଓ ସରକାରୀ ରେଳ ପୁଲିସ ମୁତୟନ ଥାଉଥାଉ ଦିନ ଆଲୁଅରେ ଘଟିଥିବା ଏହି ଆପରାଧିକ ଘଟଣା ରାଉରକେଲା ରେଳ ଷ୍ଟେସନ୍‌ରେ ମହିଳା ଯାତ୍ରୀଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି । 

Tags: