ଧାଡି ଦର୍ଶନ ତ୍ରୁଟିକୁ ଖୁବଶୀଘ୍ର ସମାଧାନ କରାଯିବ - ମନ୍ତ୍ରୀ
ପୁରୀ : ଶ୍ରୀମନ୍ଦିର ଧାଡ଼ି ଦର୍ଶନ ଢାଞ୍ଚାରେ ସାମ୍ନାକୁ ଆସିଛି ସାମାନ୍ୟ ତ୍ରୁଟି। ଲାଗୁ ହୋଇଥିବା ନିୟମ ସ୍ଥିତିକୁ ଗଲା ବେଳେ ଏଥିରେ ସାମାନ୍ୟ ତ୍ରୁଟି ଦେଖା ଦେଲା। ଫଳରେ ଏହାକୁ ସ୍ଥଗିତ ରଖାଯାଇଛି । ତ୍ରୁଟିକୁ ଖୁବଶୀଘ୍ର ସମାଧାନ କରାଯିବ । ଏହାପରେ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଲାଗୁ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଏଥିପାଇଁ କାମ କରୁଥିବା ଏଜେନ୍ସି ମାନଙ୍କୁ କୁହାଯାଇଛି । ସେହି ତ୍ରୁଟିକୁ ଟେକ୍ନୋଲୋଜି ଉପଯୋଗ କରି ସୁଧାରିବା ପାଇଁ ଚେଷ୍ଟା ଚାଲିଛି ।
ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟି ଶୂନ୍ୟ ହେଲେ ଲାଗୁ କରାଯିବା ସହ ଭକ୍ତଙ୍କ ମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ପ୍ରକ୍ରିୟାକୁ ବି ଆହୁରି ସୁଗମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅଧାପନ୍ତରିଆ ଭାବେ କରି ପରେ ପୁଣି ଭୁଲ ତ୍ରୁଟି ବାହାରିଲେ ପୁଣି ସଜଡ଼ା ଯିବ । ସେମିତି କୌଣସି ସ୍ଥାନରେ କାମ କରାଯାଏ ନାହିଁ । ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟି ଶୂନ୍ୟ ହେଲେ ଯାଏଁ ଧାଡ଼ି ଦର୍ଶନ ଚାଲୁ କରାଯିବ । ଲୋକଙ୍କର ମନ୍ଦିର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ପ୍ରକ୍ରିୟାକୁ ଆହୁରି ସୁଗମ ଓ ସୁରୁଖୁରୁ କରାଯିବାର ଯୋଜନା ଚାଲିଛି । ଭିନ୍ନକ୍ଷମ ଓ ବୟସ୍କ ମାନଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ଏହାସହ ପୁରୀ ବାସିନ୍ଦାଙ୍କ ଦର୍ଶନ ପାଇଁ ଦାବି ଥିଲା । ସେଥିପାଇଁ ମଧ୍ୟ ଯୋଜନା କରିବାକୁ ତର୍ଜମା ଚାଲିଛି ।



