କାର୍ତ୍ତିକ ବ୍ରତ ପରେ ଶ୍ରୀ ମନ୍ଦିରରେ ଲାଗୁ ହେବ ଧାଡି ଦର୍ଶନ ବ୍ୟବସ୍ଥା - ମନ୍ତ୍ରୀ
ଭୁବନେଶ୍ୱର : ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା । ନୂଆବର୍ଷ ପୂର୍ବରୁ ଲାଗୁ ହେବ ଧାଡି ଦର୍ଶନ ବ୍ୟବସ୍ଥା । କାର୍ତ୍ତିକ ବ୍ରତ ପରେ ନୂଆବର୍ଷ ପୂର୍ବରୁ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ । ଏନେଇ ସମସ୍ତ ପ୍ରକାର ପକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏକା ସଙ୍ଗେ ୮ଟି ରାମ୍ପରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏହି ବ୍ୟବସ୍ଥା ଦ୍ୱାରା ଘଣ୍ଟାକ ମଧ୍ୟରେ ପ୍ରାୟ ୧୦ ହଜାର ଭକ୍ତ ଦର୍ଶନ କରିପାରିବେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ସାତ ପାହାଚ ପରେ ଗରୁଡ଼ସ୍ତମ୍ଭରୁ ବାହାର କାଠ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ ହେବ । ତେବେ ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ପ୍ରସ୍ତାବିତ ବ୍ୟବସ୍ଥାର ପରିଦର୍ଶନ କରିବେ । ସେମାନଙ୍କ ଅନୁଧ୍ୟାନ ଓ ମତାମତ ପରେ ହିଁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହି ନୂତନ ବ୍ୟବସ୍ଥା ଲାଗୁ ହେଲେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ସହ ଦର୍ଶନ ପ୍ରକ୍ରିୟା ଅଧିକ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହୋଇପାରିବ ବୋଲି ଆଶା କରାଯାଉଛି ।




