ପୁରୀ ରାଜ୍ୟସଭା ସାଂସଦଙ୍କ ସମେତ ଶ୍ରୀମନ୍ଦିର ଏବଂ ମାର୍କେଟ କମ୍ପଲେକ୍ସକୁ ଗୁଳି ମାଡ଼ ଧମକ

ପୁରୀ ରାଜ୍ୟସଭା ସାଂସଦଙ୍କ ସମେତ ଶ୍ରୀମନ୍ଦିର ଏବଂ ମାର୍କେଟ କମ୍ପଲେକ୍ସକୁ ଗୁଳି ମାଡ଼ ଧମକ
Samaya Live News Picture
Published On

ପୁରୀ : ଶ୍ରୀମନ୍ଦିର ସହ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳି ଓ ବୋମା ମାଡ଼ ଧମକ । ଏହାକୁ ଫେସବୁକରେ ପୋଷ୍ଟ କରାଯାଇ ଥିବାରୁ ସବୁ ଆଡ଼େ ହଇଚଇ ସୃଷ୍ଟି କରିଛି । ସେହିପରି ଖୁବ୍‌ଶୀଘ୍ର ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟାଇବୁ’ ବୋଲି ମଧ୍ୟ ପୋଷ୍ଟ ରେ ଲେଖାଯାଇଛି । ଜୁଲି ରାଣୀ ପଣ୍ଡା ନାମକ ଏକ ଫେସବୁକ ଆଇଡିରୁ ଏହି ଧମକପୂର୍ଣ୍ଣ ପୋଷ୍ଟ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ।

ଶୁଭାଶିଷ କହିଛନ୍ତି ଯେ, ଗତ ଦୁଇଦିନ ତଳେ ମୋ ମୋବାଇଲକୁ ଜଣେ ବ୍ୟକ୍ତି ମେସେଜ୍ ଯୋଗେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ଏହାସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପାଇଁ ମେସେଜ ବି ଆସିଥିଲା। ଏହା ଏକ ଫେକ୍ ମେସେଜ ଭାବି ରାଜ୍ୟସଭା ସାଂସଦ ଅଣଦେଖା କରିଥିଲେ । ମଙ୍ଗଳବାର ସୋସିଆଲ ମିଡିଆରେ ପୁଣି ଥରେ ଜୀବନରୁ ମାରିଦେବାକୁ ତଥା ଗୁଳିମାଡ଼ ପାଇଁ ଧମକ ଆସିଛି। ଏହା ଏକ ଗୁରୁତର ଘଟଣା। ଏନେଇ ପୋଲିସକୁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଅବଗତ କରାଇଥିବା ବେଳେ ତାଙ୍କ ପରିବାରର ସୁରକ୍ଷା ବୃଦ୍ଧି ପାଇଁ ପୁରୀ ଏସପିଙ୍କୁ ସେ ନିବେଦନ କରିଛନ୍ତି । ତେବେ ପୋଲିସ ଯାଞ୍ଚରୁ ଜଣା ପଡିଛି ଧମକ ଆସିଥିବା ଫେସବୁକ ଆଇଡି ଟି ନୂଆକରି ଖୋଲା ଯାଇଛି ।

ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ଶ୍ରୀମନ୍ଦିର। ପୂର୍ବରୁ ଏକାଧିକଥର ଗୁଇନ୍ଦା ଏଭଳି ସୂଚନା ଦେଇଆସିଛି। ଯେଉଁଥିପାଇଁ ବଡ଼ାଦଣ୍ଡର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ବିଭିନ୍ନ ସମୟରେ ଜାତୀୟ ସୁରକ୍ଷା ବାହିନୀ (ଏନ୍‌ଏସ୍‌ଜି) ମଧ୍ୟ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛି। ଏଭଳି ସ୍ଥିତିରେ ସାମାଜିକ ଗଣମାଧ୍ୟମରେ ଶ୍ରୀମନ୍ଦିର ଉପରେ ବୋମାମାଡ଼ କରାଯିବା ନେଇ ପୋଷ୍ଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ତେଣୁ ପୁରୀ ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ଦାବି କରିଛନ୍ତି ରାଜ୍ୟସଭା ସାଂସଦ।

Tags: