ଶିଶୁବାଟିକା ନିଯୁକ୍ତି ବିଜ୍ଞାପନକୁ ଖଣ୍ଡନ କଲା ଗଣଶିକ୍ଷା ବିଭାଗ

ଶିଶୁବାଟିକା ନିଯୁକ୍ତି ବିଜ୍ଞାପନକୁ ଖଣ୍ଡନ କଲା ଗଣଶିକ୍ଷା ବିଭାଗ
Samaya Live News Picture
Published On

ଭୁବନେଶ୍ୱର : ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ଜାଲ ବିଜ୍ଞାପନ । ଏନେଇ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି । ଏପରିକି ତାରିଖ ୨୪।୪।୨୦୨୬ ସହ ଅର୍ଥ ବିଭାଗର ଚିଠି ସଂଖ୍ୟା 10911/F, ନାମରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଜାଲ୍ ପତ୍ରକୁ ଆଧାର କରି କେତେକ ଗଣମାଧ୍ୟମରେ ମଧ୍ୟ ସମ୍ବାଦ ପ୍ରକାଶ ପାଇଥିବା ଦେଖାଯାଇଛି, ଯାହା ସାଧାରଣ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିଛି । ଏହି ବିଜ୍ଞପ୍ତି ସମ୍ପୂର୍ଣ୍ଣ ଜାଲ, ମନଗଢ଼ା ଏବଂ ଅନଧିକୃତ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ପତ୍ରରେ ଥିବା ଦସ୍ତଖତ, ପତ୍ର ସଂଖ୍ୟା, ବିଷୟବସ୍ତୁ ଓ ଅନୁମୋଦନ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ସରକାରୀ ଅଭିଲେଖରେ ଏହାର କୌଣସି ଆଧାର ନାହିଁ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ଉକ୍ତ ଜାଲ୍ ପତ୍ରରେ ଓସେପା ଅଧୀନରେ ୭୨୩୪ ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି ଓ ନିଯୁକ୍ତି ସହ ପ୍ରତି ଶିକ୍ଷକଙ୍କୁ ମାସିକ ୨୬୦୦୦ ପ୍ରଦାନ ପାଇଁ ଅର୍ଥ ବିଭାଗ ଅନୁମୋଦନ କରିଥିବା ଉଲ୍ଲେଖ ରହିଛି । ଅର୍ଥ ବିଭାଗ ଦ୍ୱାରା ଏପରି କୌଣସି ପ୍ରସ୍ତାବ ଅନୁମୋଦନ କରାଯାଇନାହିଁ । ୭୨୩୪ ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି କିମ୍ବା ନିଯୁକ୍ତି ସମ୍ପର୍କରେ ଉକ୍ତ ପତ୍ର ମାଧ୍ୟମରେ କୌଣସି ସରକାରୀ ଅନୁମୋଦନ ପ୍ରଦାନ କରାଯାଇନାହିଁ ବୋଲି ସ୍ବଷ୍ଟିକରଣ ଦିଆଯାଇଛି । ଜାଲ୍ ସରକାରୀ ପତ୍ର ପ୍ରସ୍ତୁତ କରି ପ୍ରଚାର କରିବା ଏକ ଗୁରୁତର ଅପରାଧ । ଏହି ଘଟଣା ସମ୍ପର୍କରେ ଉପଯୁକ୍ତ ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅବଗତ କରାଯାଇଛି ବୋଲି ସୂଚନା ଦିଆଯାଇଛି ।

 

Tags: